ଯୁବପିଢ଼ିଙ୍କ ମଧ୍ୟରେ ବଢ଼ୁଥିବା ନିଶା ପ୍ରବୃତ୍ତିକୁ ରୋକିବା ପାଇଁ କେନ୍ଦ୍ର ସରକାର ନେଇଛନ୍ତି ବଡ଼ ପଦକ୍ଷେପ। ସ୍ନାୟୁଗତ ଯନ୍ତ୍ରଣା, ଏପିଲେପ୍ସି ଏବଂ କିଛି ମାନସିକ ସମସ୍ୟାର ଚିକିତ୍ସାରେ ବ୍ୟବହୃତ ‘ପ୍ରେଗାବାଲିନ୍’ ଔଷଧ ଏବେ ଆଉ ଇଚ୍ଛାମୁତାବକ କିଣିହେବ ନାହିଁ। ଡାକ୍ତରଙ୍କ ବୈଧ ପ୍ରେସକ୍ରିପସନ୍ ଥିଲେ ହିଁ ଏହି ଔଷଧ ମିଳିବ।
ସମ୍ପ୍ରତି ଦେଶର ବିଭିନ୍ନ ସ୍ଥାନରେ କିଛି ଯୁବକ ‘ପ୍ରେଗାବାଲିନ୍’କୁ ନିଶାଦ୍ରବ୍ୟ ଭଳି ବ୍ୟବହାର କରୁଥିବା ତଥ୍ୟ ସରକାରଙ୍କ ନଜରକୁ ଆସିଥିଲା। ଏହା ପରେ କେନ୍ଦ୍ର ସରକାର ଔଷଧର ଅବାଧ ବିକ୍ରି ଉପରେ ଲଗାମ ଟାଣିବାକୁ ନିଷ୍ପତ୍ତି ନେଇଛନ୍ତି। ମେ ୧୩ ତାରିଖରେ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ଆସନ୍ତା ୬ ମାସ ମଧ୍ୟରେ ନୂଆ ନିୟମ ସାରା ଦେଶରେ ଲାଗୁ ହେବ।
ଏପର୍ଯ୍ୟନ୍ତ ‘ସିଡ୍ୟୁଲ୍ ଏଚ୍’ ଅଧୀନରେ ଥିବା ଏହି ଔଷଧକୁ ବର୍ତ୍ତମାନ ‘ସିଡ୍ୟୁଲ୍ ଏଚ୍-୧’ ତାଲିକାରେ ସାମିଲ କରାଯାଇଛି। ଅର୍ଥାତ୍ ଏହାର ବିକ୍ରି, କ୍ରୟ ଓ ବିତରଣ ଉପରେ ରହିବ କଡ଼ା ନଜରଦାରି। ଔଷଧ ଦୋକାନୀଙ୍କୁ ପ୍ରତ୍ୟେକ ବିକ୍ରିର ରେକର୍ଡ ରଖିବାକୁ ପଡ଼ିବ ଏବଂ ଗ୍ରାହକଙ୍କ ପ୍ରେସକ୍ରିପସନ୍ର ବିବରଣୀ ସ୍ୱତନ୍ତ୍ର ରେଜିଷ୍ଟରରେ ଲିପିବଦ୍ଧ କରିବାକୁ ହେବ।
କେବଳ ସେତିକି ନୁହେଁ, ଔଷଧ କମ୍ପାନୀମାନଙ୍କୁ ମଧ୍ୟ ପ୍ୟାକେଟ୍ ଉପରେ ସ୍ପଷ୍ଟ ଚେତାବନୀ ଲେଖିବାକୁ ପଡ଼ିବ ଯେ ଏହା ‘ସିଡ୍ୟୁଲ୍ ଏଚ୍-୧’ ଶ୍ରେଣୀର ଔଷଧ ଏବଂ ଡାକ୍ତରଙ୍କ ପରାମର୍ଶ ବିନା ବ୍ୟବହାର ବିପଦଜନକ ହୋଇପାରେ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଏହି ପଦକ୍ଷେପ କେବଳ ଔଷଧର ଦୁରୁପଯୋଗକୁ ରୋକିବ ନୁହେଁ, ବରଂ ଯୁବପିଢ଼ିଙ୍କୁ ନିଶାର ଏକ ନୂଆ ଜାଲରୁ ବଞ୍ଚାଇବାରେ ମଧ୍ୟ ସହାୟକ ହେବ। ନିଶା ବିରୋଧୀ ଲଢ଼େଇରେ ଏହାକୁ ସରକାରଙ୍କ ଏକ ବଡ଼ ଓ ନିର୍ଣ୍ଣାୟକ ପଦକ୍ଷେପ ବୋଲି କୁହାଯାଉଛି।