ଭୁବନେଶ୍ୱର: ରାଜ୍ୟରେ ଆଇନ ଶୃଙ୍ଖଳାକୁ ସୁଦୃଢ଼ କରିବାକୁ ରାଜ୍ୟ ସରକାର ଜଣଙ୍କ ପରେ ଜଣେ ଆଇପିଏସ୍ ଅଧିକାରୀଙ୍କ ବଦଳି କରୁଛନ୍ତି । ଆଜି ଗୋଟିଏ ଦିନରେ ତିନି ଜଣ ଆଇପିଏସଙ୍କ ବଦଳି ଏବଂ ନୂତନ ନିଯୁକ୍ତି କରିଛି ରାଜ୍ୟ ଗୃହ ବିଭାଗ ।
ଗତ ଶନିବାର, ୨୩ ମେ ୨୦୨୫ରେ ଆଇପିଏସ୍ ସ୍ତରରେ ହୋଇଥିବା ଅଦଳବଦଳକୁ ପୁଣି ଥରେ ସଂଶୋଧନ କରାଯାଇଛି । ୨୦୧୩ ବ୍ୟାଚ୍ ଆଇପିଏସ୍ ଅଧିକାରୀ ତଥା କ୍ରାଇମବ୍ରାଞ୍ଚ ସିଆଇଡି ଏସପି ଏବଂ ପରମାର ସ୍ମିତ ପୁରୁଷୋତ୍ତମଦାସଙ୍କ ଖୋର୍ଦ୍ଧା ଜିଲ୍ଲାକୁ ବଦଳି ହୋଇଛି । ସେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି । ପୂର୍ବ ବଦଳି ଆଦେଶରେ ସରକାର ତାଙ୍କୁ ନୟାଗଡ଼ ଏସପି ଭାବେ ନିଯୁକ୍ତି ଦେଇଥିଲେ । ପୂର୍ବରୁ ଆଇପିଏସ୍ ବିବେକାନନ୍ଦ ଶର୍ମା ଖୋର୍ଦ୍ଧା ଏସପି ଦାୟିତ୍ୱ ସମ୍ଭାଳୁଥିଲେ ।
ସେହିପରି ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକଭାବେ ନୂତନ ନିଯୁକ୍ତି ପାଇଥିବା ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମଧ୍ୟ ପୁନଃବଦଳି କରାଯାଇଛି । ଆଇପିଏସ୍ ଶୁଭେନ୍ଦୁ କୁମାର ନୟାଗଡ଼ ଏସପି ଭାବେ ନିଯୁକ୍ତି ପାଇଛନ୍ତି । ତାଙ୍କ ପୂର୍ବରୁ ଆଇଏପିଏସ ଏସ. ସୁଶ୍ରୀ ନୟାଗଡ଼ ଏସପି ଭାବେ କାର୍ଯ୍ୟକରୁଥିଲେ ।
ଏହା ପୂର୍ବରୁ ବରିଷ୍ଠ ଆଇପିଏସ୍ ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ ତାଙ୍କ ବର୍ତ୍ତମାନ ପଦବୀରୁ ବଦଳି କରାଯାଇ ଗୃହ ବିଭାଗରେ ଅଫିସର ଅନ୍ ସ୍ପେଶାଲ୍ ଡ୍ୟୁଟି (OSD) ଭାବେ ନିଯୁକ୍ତ କରାଯାଇଛି।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡିଜିପି ୱାଇ ବି ଖୁରାନିଆ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ । ଛୁଟି ଦିନ ଥାଇ ମଧ୍ୟ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ଆସି ଆଲୋଚନା କରିଥିଲେ । ଏହା ପରେ ରାତିରେ ଆଇପିଏସ୍ ସ୍ତରରେ ଅଦଳ ବଦଳ ହୋଇଥିଲା । ୧୮ ଜଣ ଆଇପିଏସଙ୍କର ବଦଳି ହୋଇଥିଲା ।