ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମର ପ୍ରକୋପ ଏବେ ଚରମ ସୀମାରେ ପହଞ୍ଚିଛି। ସକାଳୁ ସକାଳୁ ଖରାର ତେଜ ବଢ଼ୁଥିବା ବେଳେ ଦିନ ବଢ଼ିବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ଆଗାମୀ ୩ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନଥିବାରୁ ରାଜ୍ୟ ପାଣିପାଗ ବିଭାଗ ୩ଟି ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଏବଂ ୫ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ସମ୍ବଲପୁର, ବଲାଙ୍ଗିର ଓ ବୌଦ୍ଧ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହ ତାପମାତ୍ରା ଅସ୍ୱାଭାବିକ ଭାବେ ବଢ଼ିପାରେ। ଏହି କାରଣରୁ ଏହି ତିନି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଝାରସୁଗୁଡ଼ା, ନୂଆପଡ଼ା, କଳାହାଣ୍ଡି, ବରଗଡ଼ ଓ ସୋନପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି।
ଆଗାମୀ ଚାରି ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବଢ଼ିପାରେ। ଅନ୍ୟପକ୍ଷରେ ଉପକୂଳ ଅଞ୍ଚଳରେ ତାପମାତ୍ରା ସାମାନ୍ୟ କମ୍ ରହିଲେ ମଧ୍ୟ ଗୁଳୁଗୁଳି ଓ ଅସହ୍ୟ ଆର୍ଦ୍ରତା ଲୋକଙ୍କୁ ଅଧିକ କଲବଲ କରିବ। ବଙ୍ଗୋପସାଗରରୁ ପ୍ରବେଶ କରୁଥିବା ଆର୍ଦ୍ର ବାୟୁ ଯୋଗୁଁ ଗରମର ପ୍ରକୃତ ଅନୁଭୂତି ଆହୁରି ବଢ଼ିଯିବ।
ତେବେ ଆଶାର କଥା ହେଉଛି, ମେ’ ୩୦ ତାରିଖ ପରଠାରୁ କାଳବୈଶାଖୀର ପ୍ରଭାବରେ ପାଗରେ କିଛି ପରିବର୍ତ୍ତନ ଆସିପାରେ। ଏହା ସହ ମାସ ଶେଷ ଆଡ଼କୁ କିମ୍ବା ଜୁନ୍ ପ୍ରାରମ୍ଭରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ସକ୍ରିୟ ହେଲେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବା ସହ ତାତିରୁ କିଛିଟା ଆଶ୍ୱସ୍ତି ମିଳିପାରେ। ତେବେ ସେପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାବାସୀଙ୍କୁ ଅସହ୍ୟ ଗରମ ଓ ଗୁଳୁଗୁଳି ସହ ସଂଘର୍ଷ ଜାରି ରଖିବାକୁ ପଡ଼ିବ।