ୱାଶିଂଟନ୍/ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ଥିବା ବନ୍ଧୁତା ଆଗାମୀ ଦିନରେ ଆହୁରି ମଜବୁତ ହେବାକୁ ଯାଉଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଭାରତୀୟଙ୍କ ପାଇଁ ଏକ ବଡ଼ ଉପହାରର ଘୋଷଣା କରିଛନ୍ତି। ବ୍ୟବସାୟିକ ପେସାଦାରମାନଙ୍କ ପାଇଁ ଆମେରିକା ପକ୍ଷରୁ ଏକ ନୂତନ 'ଆମେରିକା ଫାଷ୍ଟ ଭିସା ସେଡ୍ୟୁଲିଂ ଟୁଲ୍ ଆରମ୍ଭ କରାଯାଉଛି ବୋଲି ସେ କହିଛନ୍ତି। ଏହାସହ ନିଜ ଅଭିଭାଷଣରେ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଥିବା ନିବିଡ଼ ସମ୍ପର୍କର ମଧ୍ୟ ଉଲ୍ଲେଖ କରିଛନ୍ତି।
ମାର୍କୋ ରୁବିଓ କହିଛନ୍ତି, ଆମେ ଏକ ନୂଆ ଭିସା ସେଡ୍ୟୁଲିଂ ଟୁଲ୍ ଆଣୁଛୁ, ଯାହା ଦୁଇ ଦେଶର ବ୍ୟାପାରିକ ସମ୍ପର୍କକୁ ସୁଦୃଢ଼ କରୁଥିବା ବ୍ୟବସାୟୀ ଓ ପେସାଦାରମାନଙ୍କୁ ପ୍ରାଥମିକତା ଦେବ। ଆମେରିକା ବୈଦେଶିକ ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଦୁଇ ଦେଶର ଏହି ସମ୍ପର୍କ ଇଣ୍ଡୋ-ପାସିଫିକ୍ (ଭାରତ-ପ୍ରଶାନ୍ତ ମହାସାଗରୀୟ) କ୍ଷେତ୍ର ପାଇଁ ଆମେରିକାର ଦୂରଦୃଷ୍ଟିର ମୂଳଦୁଆ ଅଟେ।
ବୈଦେଶିକ ମନ୍ତ୍ରୀ ଭାବରେ ମୋର ପ୍ରଥମ ଆଧିକାରିକ ବୈଠକ କ୍ୱାଡ୍ ସହିତ ଥିଲା। ଆମେ ଏହାକୁ ଏହିଭଳି ରଖିବାକୁ ଚାହୁଁଥିଲୁ, କାରଣ ଏହା ଏକ ସ୍ପଷ୍ଟ ସଙ୍କେତ ଯେ ଆମେରିକାର ଆଭିମୁଖ୍ୟରେ ଏବଂ ଇଣ୍ଡୋ-ପାସିଫିକ୍ କ୍ଷେତ୍ରରେ ଭାରତ କେତେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରେ ବୋଲି ମାର୍କ ରୁବିଓ କହିଛନ୍ତି।
ମୋଦୀ-ଟ୍ରମ୍ପଙ୍କ ମଧ୍ୟରେ ରହିଛି ବ୍ୟକ୍ତିଗତ ବନ୍ଧୁତା
ରୁବିଓ କହିଛନ୍ତି ଯେ, ରାଷ୍ଟ୍ରପତି ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ବ୍ୟକ୍ତିଗତ ସମ୍ପର୍କ ରହିଛି। ଏହି ସମ୍ପର୍କ ଟ୍ରମ୍ପଙ୍କ ପ୍ରଥମ ଶାସନ କାଳରୁ ଆରମ୍ଭ ହୋଇଥିଲା, ଯାହା ଦ୍ୱିତୀୟ ଶାସନ କାଳରେ ମଧ୍ୟ ସେଭଳି ଜାରି ରହିଛି। ଆପଣ ସେମାନଙ୍କ ମଧ୍ୟରେ ଥିବା ଆତ୍ମୀୟତାକୁ ସହଜରେ ଅନୁଭବ କରିପାରିବେ। ଦୁଇଜଣ ଜଣାଶୁଣା ଓ ଗମ୍ଭୀର ନେତାଙ୍କ ମଧ୍ୟରେ ଏଭଳି ସମନ୍ୱୟ ରହିବା ଅତ୍ୟନ୍ତ ଜରୁରୀ।
କାହାକୁ ମିଳିବ ଭିସା ଟୁଲ୍ର ଫାଇଦା ?
ଆମେରିକା ବୈଦେଶିକ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଏହି ନୂତନ ସୁବିଧା କେବଳ ଭିସା ଆବେଦନ କରୁଥିବା ଲୋକଙ୍କ ପାଇଁ ନୁହେଁ, ବରଂ ଆମେରିକାର ଜାତୀୟ ସ୍ଵାର୍ଥ ଏବଂ ସୁରକ୍ଷାକୁ ଆଗକୁ ବଢ଼ାଉଥିବା କର୍ମଚାରୀଙ୍କ ପାଇଁ ମଧ୍ୟ ଲାଭଦାୟକ ହେବ। ଏଭଳି ଏକ ମଞ୍ଚରେ ଉପସ୍ଥିତ ରହି ସେ ଗର୍ବିତ ବୋଲି ପ୍ରକାଶ କରିବା ସହ ସେଠାକାର ଗରମ ପାଣିପାଗ ଯୋଗୁଁ ନିଜର ବକ୍ତବ୍ୟ ସଂକ୍ଷେପରେ ଶେଷ କରିଥିଲେ।