ନୂଆଦିଲ୍ଲୀ: ଭୟଙ୍କର ବିସ୍ଫୋରଣରେ ଥରି ଉଠିଛି ଚୀନର ଚାଙ୍ଗଝି ସହର । ଏକ କୋଇଲା ଖଣିରେ ଅଚାନକ ବିସ୍ଫୋରଣ ଫଳରେ ପାଖାପାଖି ୯୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆହୁରି ଶତାଧିକ ଅଧିକାରୀ ଓ କର୍ମଚାରୀ ଫସି ରହିଛନ୍ତି । ତେଣୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି ।
ଚୀନର ସ୍ଥାନୀୟ ସମୟ, ଶୁକ୍ରବାର ସନ୍ଧ୍ୟା ସାଢ଼େ ସାତଟା ସମୟରେ ଚାଙ୍ଗଝି ସହର ନିକଟରେ ଥିବା କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏହି ସମୟରେ ୨୪୭ ଶ୍ରମିକ ଖଣିରେ କାମ କରୁଥିଲେ । ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରାୟ ୯୦ ଜଣଙ୍କ ମୃତ ଦେହ ମିଳିସାରିଛି ।
ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଘଟଣାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଦୁର୍ଘଟଣାର କାରଣ ଏବଂ ଦାୟୀ କିଏ ତାହା ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ସହିତ ଘଟଣାରେ କାହାକୁ ଛଡ଼ାଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଏହା ସହିତ ଆହତମାନଙ୍କର ଚିକିତ୍ସା, ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ପରିଚାଳନାରେ ଯେପରି କୌଣସି ତ୍ରୁଟି ନ ରୁହେ ସେଥିପ୍ରତି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଖଣି ଦୁର୍ଘଟଣା ଗତ ଦଶନ୍ଧି ମଧ୍ୟରେ ଚୀନ୍ରେ ଘଟିଥିବା ସବୁଠାରୁ ଭୟଙ୍କର ଘଟଣା ମଧ୍ୟରୁ ଗୋଟିଏ। ୨୦୨୩ ମସିହାରେ, ଉତ୍ତର ଆଭ୍ୟନ୍ତରୀଣ ମଙ୍ଗୋଲିଆରେ ଏକ ଖୋଲା କୋଇଲା ଖଣି ଭୁଶୁଡ଼ି ପଡ଼ିବାରୁ ୫୩ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୦୯ ମସିହାରେ, ଉତ୍ତର-ପୂର୍ବ ହେଲଙ୍ଗଜିଆଙ୍ଗର ଏକ ଖଣିରେ ବିସ୍ଫୋରଣ ଘଟି ୧୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା।