ରୋମ୍: ଗାଜାରେ ରହୁଥିବା ପାଲେଷ୍ଟାଇନି ନାଗରିମାନଙ୍କ ପାଇଁ ଖାଦ୍ୟ ସାମଗ୍ରୀ ନେଇ ସମୁଦ୍ର ପଥରେ ଯାତ୍ରା କରୁଥିବା ବିଭିନ୍ନ ଦେଶ ଏବଂ ମାନବାଧିକାର ସଂଗଠନର ୪୩୦ ଜଣ ସ୍ୱେଚ୍ଛାସେବକଙ୍କ ଅଭିଯୋଗରେ ବିଶ୍ୱ ଆଶ୍ଚର୍ଯ୍ୟ ହୋଇଯାଇଛି। ୫୦ଟି ଛୋଟ ଜାହାଜରେ ଖାଦ୍ୟ ସାମଗ୍ରୀ ନେଇଯାଉଥିବା ଏହି ଲୋକମାନଙ୍କୁ ମଙ୍ଗଳବାର ଅନ୍ତର୍ଜାତୀୟ ଜଳପଥରେ ଇସ୍ରାଏଲୀ ନୌସେନା ଦ୍ୱାରା ଜବତ କରାଯାଇଥିଲା। ମୁକ୍ତ ହେବା ପରେ ଗିରଫ ବ୍ୟକ୍ତିମାନେ ଦୁର୍ବ୍ୟବହାର, ଅପମାନ ଏବଂ ମାଡ଼ ଅଭିଯୋଗ କରିଛନ୍ତି।
ଗୋଷ୍ଠୀର ୧୫ ଜଣ ମହିଳା ହାଜତରେ ଥିବା ସମୟରେ ଯୌନ ନିର୍ଯାତନା ଏବଂ ଦୁଷ୍କର୍ମ ଅଭିଯୋଗ କରିଛନ୍ତି। ଆକ୍ରମଣରେ ଆଘାତ ଲାଗି ଅନେକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ସାମାଜିକ କର୍ମୀମାନଙ୍କୁ ରଖାଯାଇଥିବା ଇସ୍ରାଏଲୀ ଜେଲ୍ ଏପରି କୌଣସି ଅପରାଧକୁ ଅସ୍ୱୀକାର କରିଛି।
ବିଭିନ୍ନ ଦେଶର ଏହି ଲୋକମାନଙ୍କୁ ହାତକଡ଼ି ପିନ୍ଧାଇ ଭୂମିରେ ଆଣ୍ଠୁ ମାଡ଼ି ବସିବାକୁ ବାଧ୍ୟ କରାଯାଇଥିବା ଏବଂ ଗୃହମନ୍ତ୍ରୀ ଇଟାମାର ବେନ୍ ଗଭିର ସେମାନଙ୍କୁ ପରିହାସ କରୁଥିବା ଏକ ଭିଡିଓ ପ୍ରକାଶ ପାଇବା ପରେ ଇସ୍ରାଏଲର କାର୍ଯ୍ୟକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଥିଲା। ଏହା ପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗୁରୁବାର ସମସ୍ତଙ୍କୁ ମୁକ୍ତ କରିବା ଏବଂ ତୁର୍କୀ, ଇଟାଲୀ ଏବଂ ଅନ୍ୟାନ୍ୟ ଦେଶକୁ ନିର୍ବାସନ ନିର୍ଦ୍ଦେଶ ଦେଇଥିଲେ। ଜର୍ମାନୀରେ ପହଞ୍ଚିଥିବା ନାଗରିକମାନଙ୍କଠାରୁ ଅଭିଯୋଗ ପାଇବା ପରେ ଜର୍ମାନ ସରକାର ଏହି ଘଟଣାକୁ ଗମ୍ଭୀର ବୋଲି ବର୍ଣ୍ଣନା କରିଛନ୍ତି।
କୁହାଯାଇଛି ଯେ ଅନେକ ନାଗରିକ ଆହତ ହୋଇଛନ୍ତି। ଅନେକ ଆକ୍ରମଣ, ଅପହରଣ ଏବଂ ଯୌନ ନିର୍ଯାତନାର ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଏହି ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଇଟାଲୀ କହିଛି ଯେ ଅଭିଯୋଗଗୁଡ଼ିକର ତଦନ୍ତ କରାଯିବ ଏବଂ ମନ୍ତ୍ରୀ ବେନ୍ ଗଭିରଙ୍କ ବିରୋଧରେ ଦଣ୍ଡବିଧାନ ବିଚାର କରାଯିବ। ମୁକ୍ତ ହୋଇଥିବା ୧୫ ଜଣ ମହିଳା କର୍ମୀ ଗୁରୁତର ଯୌନ ନିର୍ଯାତନା ଏବଂ ଦୁଷ୍କର୍ମ ଅଭିଯୋଗ କରିଛନ୍ତି।
ଅନେକ ମହିଳା ଏବଂ ପୁରୁଷ କର୍ମୀ ଗୁରୁତର ମାଡ଼ ଏବଂ ଦୁର୍ବ୍ୟବହାର ଅଭିଯୋଗ କରିଛନ୍ତି। ସେମାନେ ସମସ୍ତେ ଏକ କଣ୍ଟେନର ରୁମରେ ବନ୍ଦ କରି ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି। ଏହି ମାଡ଼ ଫଳରେ ଅନେକଙ୍କ ହାଡ଼ ଭାଙ୍ଗିଯାଇଛି।
ଅଧିକ ପଢ଼ନ୍ତୁ: ତିନି ପିଲାଙ୍କ ସହିତ ଘର ବାହାରେ ଶୋଇଥିଲେ ବାପା, ଡମ୍ପର ନେଲେ ଜୀବନ