ୱାଶିଂଟନ/ତେହେରାନ୍: ଆମେରିକା ଏବଂ ଇରାନ୍ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ତିକ୍ତତା ଏବେ ଶେଷ ହେବାକୁ ଯାଉଛି। ଦୁଇ ଦେଶ ମଧ୍ୟରେ ଏକ ବଡ଼ ଧରଣର ଚୁକ୍ତି ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ସମ୍ଭାବ୍ୟ ଚୁକ୍ତିକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ଇରାନ୍ ସହ ଆଲୋଚନା ପ୍ରକ୍ରିୟା ଆଶା କରାଯାଉଥିବା ସମୟଠାରୁ ସାମାନ୍ୟ ଅଧିକ ଲମ୍ବା ଟାଣି ହୋଇଛି, ହେଲେ ଏହା ଏବେ ଶେଷ ପର୍ଯ୍ୟାୟରେ ରହିଛି। ଅନ୍ୟପଟେ ଯଦି କୂଟନୈତିକ ପ୍ରୟାସ ବିଫଳ ହୁଏ, ତେବେ ଆମେରିକା ଅନ୍ୟ କଠୋର ବିକଳ୍ପ ଉପରେ ବିଚାର କରିପାରେ ବୋଲି ସେ ସଙ୍କେତ ଦେଇଛନ୍ତି।
ଆସନ୍ତା କିଛି ଘଣ୍ଟା ମଧ୍ୟରେ ହୋଇପାରେ ଘୋଷଣା
ଆନ୍ତର୍ଜାତୀୟ ଗଣମାଧ୍ୟମ ‘ଅଲ୍ ଆରବିଆ’ର ରିପୋର୍ଟ ଅନୁଯାୟୀ, ଆମେରିକା ଏବଂ ଇରାନ୍ ମଧ୍ୟରେ ପ୍ରସ୍ତୁତ ହୋଇଥିବା ଚୁକ୍ତିନାମା ଡ୍ରାଫ୍ଟକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ପ୍ରୟାସ ଜାରି ରହିଛି। ଆସନ୍ତା କିଛି ଘଣ୍ଟା ମଧ୍ୟରେ ଏହି ଐତିହାସିକ ଚୁକ୍ତି ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା କରାଯାଇପାରେ। ଏହି ଚୁକ୍ତିର ଚୂଡ଼ାନ୍ତ ପର୍ଯ୍ୟାୟର ମଧ୍ୟସ୍ଥତା ଭାବେ ଘୋଷଣା କରିବା ପାଇଁ ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶଲ ଆସିମ ମୁନିର ଗୁରୁବାର ଇରାନ୍ ଗସ୍ତ କରିପାରନ୍ତି।
ଇରାନରେ ବଢ଼ୁଛି ଜନ ଅସନ୍ତୋଷ: ଟ୍ରମ୍ପ
ହ୍ୱାଇଟ୍ ହାଉସ୍ରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ରାଷ୍ଟ୍ରପତି ଟ୍ରମ୍ପ ଦାବି କରିଛନ୍ତି ଯେ, ବର୍ତ୍ତମାନ ଇରାନରେ ଆର୍ଥିକ ଓ ସାମାଜିକ ସ୍ଥିତି ଅତ୍ୟନ୍ତ ସଂକଟଜନକ ରହିଛି। ଖରାପ ପରିସ୍ଥିତି ଯୋଗୁଁ ସେଠାକାର ସାଧାରଣ ଜନତାଙ୍କ ମଧ୍ୟରେ ସରକାରଙ୍କ ବିରୋଧରେ ଆକ୍ରୋଶ ଓ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି, ଯାହା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା। ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ, ସେ ମଧ୍ୟପ୍ରାଚ୍ୟରେ କୌଣସି ବଡ଼ ଯୁଦ୍ଧ ଚାହାଁନ୍ତି ନାହିଁ। ବଡ଼ ଯୁଦ୍ଧ ବଦଳରେ ସୀମିତ ସ୍ତରର ଉତ୍ତେଜନାକୁ ସେ ଶ୍ରେୟସ୍କର ମଣନ୍ତି, ଯେପରି ଅଧିକ ଧନଜୀବନ ହାନି ନହେବ।
ପୂର୍ବ ଯୁଦ୍ଧରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିବା ବେଳେ ଏହି ଅଭିଯାନରେ ଆମେରିକା ମାତ୍ର ୧୩ ଜଣ ସୈନିକଙ୍କୁ ହରାଇଛି। ଯଦିଓ ୧୩ ଜଣଙ୍କ ମୃତ୍ୟୁ ମଧ୍ୟ ଅତ୍ୟନ୍ତ ଦୁଃଖଦାୟକ। ଆମେରିକା କୌଣସି ବଡ଼ ଧରଣର ସାମରିକ କବ୍ଜା ନକରି ମଧ୍ୟ ବଡ଼ ରଣନୈତିକ ସଫଳତା ହାସଲ କରିଛି ଏବଂ ମୂଳ ରୂପେ ଇରାନ୍ ଉପରେ ନିୟନ୍ତ୍ରଣ ହାସଲ କରିଥିଲା ବୋଲି ଟ୍ରମ୍ପ ଦାବି କରିଛନ୍ତି।