ୱାଶିଂଟନ: ଆମେରିକାର ଟ୍ରମ୍ପ ପ୍ରଶାସନକୁ ଲାଗିଛି ଏକ ବଡ଼ ଝଟକା। ଟ୍ରମ୍ପ କ୍ୟାବିନେଟ୍ର ପ୍ରମୁଖ ସଦସ୍ୟ ତଥା ଜାତୀୟ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକତୁଳସୀ ଗାବାର୍ଡ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସମ୍ପୂର୍ଣ୍ଣ ପାରିବାରିକ କାରଣ ତଥା ନିଜ ସ୍ୱାମୀଙ୍କ ଗୁରୁତର ଅସୁସ୍ଥତା ପାଇଁ ସେ ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ସ୍ୱାମୀଙ୍କ କର୍କଟ ରୋଗ (କ୍ୟାନ୍ସର) ଚିକିତ୍ସା ସମୟରେ ତାଙ୍କ ସହ ରହିବା ପାଇଁ ସେ ସରକାରୀ ସେବାରୁ ଦୂରେଇ ଯିବାକୁ ଶ୍ରେୟସ୍କର ମଣିଛନ୍ତି।
ଆମେରିକାର ପ୍ରମୁଖ ଗଣମାଧ୍ୟମ ସଂସ୍ଥା 'ଫକ୍ସ ନ୍ୟୁଜ୍'ର ରିପୋର୍ଟ ଅନୁଯାୟୀ, ଶୁକ୍ରବାର ଦିନ ହ୍ୱାଇଟ୍ ହାଉସ୍ର ଓଭାଲ ଅଫିସରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସମୟରେ ତୁଳସୀ ଗାବାର୍ଡ ନିଜେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏହି ବିଷୟରେ ଅବଗତ କରାଇଥିଲେ। ଚଳିତ ବର୍ଷ ଜୁନ୍ ୩୦, ୨୦୨୬ରେ ଜାତୀୟ ଗୁଇନ୍ଦା ନିର୍ଦ୍ଦେଶାଳୟ (ODNI) ରେ ତାଙ୍କର ଶେଷ କାର୍ଯ୍ୟଦିବସ ହେବ ବୋଲି ଆଶା କରାଯାଉଛି।
ସ୍ୱାମୀଙ୍କୁ ହୋଇଛି ବିରଳ ଅସ୍ଥି କର୍କଟ ରୋଗ
ନିଜ ଇସ୍ତଫା ପତ୍ରରେ ତୁଳସୀ ଗାବାର୍ଡ ଲେଖିଛନ୍ତି ଯେ, ତାଙ୍କ ସ୍ୱାମୀ ଅବ୍ରାହମଙ୍କୁ ନିକଟରେ ଏକ ଅତ୍ୟନ୍ତ ବିରଳ ପ୍ରକାରର ହାଡ଼ କ୍ୟାନ୍ସର (Bone Cancer) ହୋଇଥିବା ଚିହ୍ନଟ ହୋଇଛି। ବର୍ତ୍ତମାନ ସେ ଏହି ମାରାତ୍ମକ ରୋଗ ସହ ଜୀବନ ମରଣର ଲଢ଼େଇ ଲଢ଼ୁଛନ୍ତି। ଆଗାମୀ ସପ୍ତାହଗୁଡ଼ିକରେ ତାଙ୍କ ପାଇଁ ଆହୁରି କଠିନ ହେବାକୁ ଯାଉଛି। ଏଭଳି ସ୍ଥିତିରେ ଜଣେ ସ୍ତ୍ରୀ ହିସାବରେ ସାର୍ବଜନୀନ ସେବାରୁ ବିରତି ନେଇ ସ୍ୱାମୀଙ୍କ ସହ ଛିଡ଼ା ହେବା ଏବଂ ଏହି ଯୁଦ୍ଧରେ ତାଙ୍କୁ ସହଯୋଗ କରିବା ସବୁଠାରୁ ଜରୁରୀ ଅଟେ।
"ଅବ୍ରାହମ ମୋ ଜୀବନର ସବୁଠାରୁ ବଡ଼ ସ୍ତମ୍ଭ"
ତୁଳସୀ ନିଜ ବୈବାହିକ ଜୀବନର ସ୍ମୃତି ଚାରଣ କରି କହିଛନ୍ତି, "ଆମ ବିବାହକୁ ୧୧ ବର୍ଷ ବିତିଗଲାଣି। ଅବ୍ରାହମ ସର୍ବଦା ମୋ ପାଇଁ ଏକ ଶକ୍ତ ସ୍ତମ୍ଭ ସଦୃଶ ରହି ଆସିଛନ୍ତି। ମୁଁ ଯେତେବେଳେ ପୂର୍ବ ଆଫ୍ରିକାରେ ଏକ ଯୁଗ୍ମ ସ୍ପେଶାଲ ଅପରେସନ ମିଶନରେ ମୁତୟନ ଥିଲି କିମ୍ବା ମୋର ବିଭିନ୍ନ ରାଜନୈତିକ ଅଭିଯାନ ସମୟରେ ସେ ସବୁବେଳେ ମୋ ପଛରେ ଢାଲ ଭଳି ଛିଡ଼ା ହୋଇଥିଲେ। ତାଙ୍କର ଭଲପାଇବା ଏବଂ ଆତ୍ମବିଶ୍ୱାସ ମତେ ସବୁ ପରିସ୍ଥିତିରେ ଲଢ଼ିବାକୁ ସାହସ ଦେଇଛି। ତେଣୁ ଆଜି ତାଙ୍କର ଏହି କଠିନ ସମୟରେ ମୁଁ ତାଙ୍କୁ ଏକା ଛାଡ଼ି ପାରିବି ନାହିଁ।"
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଜଣାଇଲେ କୃତଜ୍ଞତା
ଇସ୍ତଫା ପତ୍ରରେ ସେ ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରତି ମଧ୍ୟ ଗଭୀର କୃତଜ୍ଞତା ପ୍ରକଟ କରିଛନ୍ତି। ସେ ଲେଖିଛନ୍ତି, "ମୋ ଉପରେ ଏତେ ବଡ଼ ବିଶ୍ୱାସ ସ୍ଥାପନ କରିଥିବାରୁ ମୁଁ ଆପଣଙ୍କ ନିକଟରେ ଚିର କୃତଜ୍ଞ। ବିଗତ ଦେଢ଼ ବର୍ଷ ଧରି ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ କାର୍ଯ୍ୟାଳୟର ନେତୃତ୍ୱ ନେବାର ଯେଉଁ ସୁଯୋଗ ମତେ ମିଳିଥିଲା, ସେଥିପାଇଁ ମୁଁ ଧନ୍ୟବାଦ ଜଣାଉଛି।" ଏହାସହ ନିଜ କାର୍ଯ୍ୟକାଳ ମଧ୍ୟରେ ଗୁଇନ୍ଦା ବିଭାଗରେ ସ୍ୱଚ୍ଛତା ଏବଂ ସାଧୁତା ବଜାୟ ରଖିବା ଦିଗରେ ସେ ଅନେକ ସଫଳତା ହାସଲ କରିଛନ୍ତି, ଯଦିଓ ଦେଶର ସୁରକ୍ଷା ପାଇଁ ଏବେ ବି ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବାକି ରହିଛି ବୋଲି ତୁଳସୀ ପ୍ରକାଶ କରିଛନ୍ତି।