ଯାଜପୁର: ରାତିକରେ ଗୋଟିଏ ପରିବାରର ଲିଭିଗଲା ଦୁଇଟି ଜୀବନ ଦ୍ୱୀପ । ଡକାଡକି ହୋଇ ପର ପାରିକୁ ଚାଲି ଗଲେ ବାପା-ପୁଅ । ପୁଅର ମୃତ୍ୟୁ ଖବର ଶୁଣିବା ମାତ୍ରେ ଜୀବନ ହାରିଦେଲେ ବାପା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା କନିକାପଡା ପଞ୍ଚାୟତ ମାନସୀପାଟଣା ଗାଁରେ । ମୃତକ ହେଲେ ଷ୍ଟିମର ପଣ୍ଡା ଓରଫ ସିଲୁ ଏବଂ ତାଙ୍କ ବାପା ରସାନନ୍ଦ ପଣ୍ଡା ।
ସିଲୁ ପଣ୍ଡା ମଙ୍ଗଳପୁର ବଜାରରେ ଗାୟତ୍ରୀ ଡିଜିଟାଲ ଷ୍ଟୁଡ଼ିଓ ନାମରେ ଏକ ଫଟୋ ଷ୍ଟୁଡ଼ିଓ କରି ପରିବାର ପୋଷୁଥିଲେ । ଗତକାଲି ତାଙ୍କ ଷ୍ଟୁଡ଼ିଓର ଜଣେ କର୍ମଚାରୀ ବିକି ବିଷ ପିଇ ଦେଇଥିଲେ । ଷ୍ଟୁଡିଓ ମାଲିକ ସିଲୁ ଗୁରୁତର ଅବସ୍ଥାରେ ବିକିଙ୍କୁ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ଏସସିବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହା ପରେ ସିଲୁ ଘରକୁ ଫେରିଥିଲେ । କିନ୍ତୁ ରାତିରେ ହଠାତ୍ ତାଙ୍କର ଦେହ ଅସୁସ୍ଥ ହେବାରୁ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ସିଲୁଙ୍କୁ ମୃତ ଘୋଷଣା କରିଥିଲେ ।
ଅନ୍ୟପକ୍ଷରେ ଘରେ ଥିବା ବୁଢ଼ା ବାପା ରସାନନ୍ଦ ଭେଣ୍ଡିଆ ପୁଅର ମୃତ୍ୟୁ ଖବର ଶୁଣିବା ପରେ ମାନସିକ ହରାଇବସିଥିଲେ । ସେ ଘର ଭିତରେ ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଥିଲେ । ଗୋଟିଏ ପରିବାରର ଦୁଇଟି ଦୁଇଟି ମୃତ୍ୟୁ ଖବର ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ସେପଟେ ବିଷ ପିଇଥିବା କର୍ମଚାରୀ ଏସସିବି ମେଡ଼ିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏ ନେଇ ମଙ୍ଗଳପୁର ପୋଲିସର ତଦନ୍ତ ଆରମ୍ଭ ହୋଇଛି। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକାଳୁଳ ପରିବେଶ ସୃଷ୍ଟି ହୋଇଛି ।