ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ନବୀନ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ବିଜେଡ଼ି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ହିଂସାତ୍ମକ ଶୈଳୀରେ ଅବରୋଧ କରାଯିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ନବୀନ । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି ।
ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଗତକାଲି ଆଠଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତିଗିରିଆ ବ୍ଲକରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ତିଗିରିଆ ପଞ୍ଚାୟତ ସମିତି ବୈଠକରେ ଯୋଗଦେବାକୁ ଯାଉଥିବା ସମୟରେ ବିଜେପି ସମର୍ଥିତ ଦୁର୍ବୃତ୍ତମାନେ ତାଙ୍କୁ ହିଂସାତ୍ମକ ଭାବରେ ଅବରୋଧ କରିଥିଲେ । ବିଧାୟକଙ୍କୁ ଭୟଭୀତ କରିବା ସହିତ ଶାରୀରିକ ଭାବରେ ବାଧା ଦେଇଥିଲେ । ଯାହା ସାଧାରଣ ମଞ୍ଚ ଏବଂ ଗଣମାଧ୍ୟମରେ ବହୁଳ ଭାବରେ ପ୍ରତିଫଳିତ ହୋଇଥିଲା।
ଏପରି କାର୍ଯ୍ୟ କେବଳ ଏକ ସ୍ଥାନୀୟ ରାଜନୈତିକ ସଂଘର୍ଷ ନୁହେଁ ବରଂ ଏହା ଆମର ଗଣତାନ୍ତ୍ର ଉପରେ ସିଧାସଳଖ ଆକ୍ରମଣ । ଯଦି ଜଣେ ଜନ ପ୍ରତିନିଧି ସୁରକ୍ଷିତ ନୁହଁନ୍ତି ସେଠାରେ ସାଧାରଣ ନାଗରିକ ମଧ୍ୟ ସୁରକ୍ଷିତ ନୁହଁନ୍ତି ବୋଲି ନବୀନ ଲେଖିଛନ୍ତି । ତେଣୁ, ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ଓଡ଼ିଶାର ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନେବାକୁ ବିରୋଧୀ ଦଳ ନେତା ପଟ୍ଟନାୟକ ଚିଠିରେ ଅନୁରୋଧ କରିଛନ୍ତି ।