କୋଲକାତା: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ପ୍ରମୁଖ ମମତା ବାନାର୍ଜୀଙ୍କ ମୁସ୍କିଲ କମ ହେବାର ନାଁ ନେଉନି । ଖବର ଏହା ଯେ, ନନ୍ଦିଗ୍ରାମରେ ହେବାକୁ ଥିବା ଉପନିର୍ବାଚନ ପାଇଁ ପାର୍ଟିକୁ ପ୍ରାର୍ଥୀ ହିଁ ମିଳୁ ନାହାନ୍ତି । ତେବେ ଏହାକୁ ନେଇ ଆନୁଷ୍ଠାନିକ ଭାବେ କିଛି କୁହାଯାଇ ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ନନ୍ଦିଗ୍ରାମ ଆସନରେ ଉପନିର୍ବାଚନର ଘୋଷଣା ବି ହୋଇନି । ହେଲେ ଚର୍ଚ୍ଚା ଚାଲିଛି ଯେ, ଏହି ଆସନରୁ ଲଢିବା ପାଇଁ ଟିଏମସି ନେତା ରାଜି ହେଉ ନାହାନ୍ତି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଭବାନୀପୁର ସହିତ ନନ୍ଦିଗ୍ରାମରୁ ମଧ୍ୟ ନିର୍ବାଚନ ଲଢିଥିଲେ ଏବଂ ଉଭୟ ଆସନ ଜିିତିଥିଲେ । ହେଲେ ନିୟମ ଅନୁସାରେ ତାଙ୍କୁ ଗୋଟିଏ ସିଟ୍ ଛାଡିବାକୁ ପଡିଛି । ଏହା ପୂର୍ବରୁ ୨୦୨୧ରେ ମଧ୍ୟ ଶୁଭେନ୍ଦୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହରାଇ ସାରିଛନ୍ତି ।
ମନା କରି ସାରିଛନ୍ତି ୨ ନେତା
ପୂର୍ବ ମେଦିନିପୁର ଜିଲ୍ଲାର ନନ୍ଦିଗ୍ରାମ ନିର୍ବାଚନ ମଣ୍ଡଳିରେ କୌଣସି ବି ସମୟରେ ଉପ ନିର୍ବାଚନ ତାରିଖ ଘୋଷଣା ହୋଇପାରେ । ଚର୍ଚ୍ଚା ଜୋର ଧରିଛି ଯେ, ଟିଏମସି ଏହି ଆସନରେ ନିର୍ବାଚନ ଲଢିବା ପାଇଁ ପ୍ରାର୍ଥୀ ଖୋଜୁଛି । ହେଲେ ଟିଏମସିକୁ ପ୍ରାର୍ଥୀଟିଏ ମିଳିବା ମୁସ୍କିଲ ହୋଇଗଲାଣି । ଏହା ସହିତ ଦୁଇ ନେତା ନିର୍ବାଚନ ଲଢିବାକୁ ମନା କରି ଦେଇଛନ୍ତି । ୨୦୨୬ ବିଧାନସଭା ନିର୍ବାଚନରେ ମଧ୍ୟ ଅଧିକାରୀ ଭବାନୀପୁର ଆସନରେ ମମତା ବାନାର୍ଜୀଙ୍କୁ ହରାଇଛନ୍ତି ।
ଲଢିବାକୁ କାହିଁକି ମନା କରୁଛନ୍ତି ନେତା
ଦିନ ଥିଲା ଶୁଭେନ୍ଦୁ ଅଧିକାରୀଙ୍କ ଘନିଷ୍ଠ ଥିବା ପବିତ୍ର କର ମଧ୍ୟ ନନ୍ଦିଗ୍ରାମରୁ ଲଢିବାକୁ ଚାହୁଁ ନାହାନ୍ତି । ଖାସ୍ କଥା ଶୁଭେନ୍ଦୁ ଏହି ସିଟରେ ହିଁ ତାଙ୍କୁ ହରାଇଛନ୍ତି । ପବିତ୍ର କର କହିଛନ୍ତି, କିଛି ଲୋକ ନିର୍ବାଚନ ଲଢିବା ପାଇଁ ମୋ ସହ କଥା ହେବାକୁ ଆସିଥିଲେ । ହେଲେ ମୁଁ ନିର୍ବାଚନ ଲଢିବାକୁ ଚାହୁଁନାହିଁ । ଉଲ୍ଲେଖନୀୟ ନିର୍ବାଚନର କିଛି ସମୟ ପୂର୍ବରୁ ହିଁ ପବିତ୍ର କର ବିଜେପି ଛାଡି ଟିଏମସିରେ ମିଶିଥିଲେ ।
୨୦୨୧ରେ ନନ୍ଦିଗ୍ରାମ ଆସନରେ ମମତା ବାନାର୍ଜୀଙ୍କ ନିର୍ବାଚନୀ ଏଜେଣ୍ଟ ଥିବା ଶେଖ ସୁଫିୟାନ ମଧ୍ୟ ଏଠାରୁ ନିର୍ବାଚନ ଲଢିବା ପାଇଁ ଅନିଚ୍ଛା ପ୍ରକାଶ କରିଛନ୍ତି । ସେ କହିଛନ୍ତି ମୁଁ ୨୦୦୬ରେ ନନ୍ଦିଗ୍ରାମରୁ ନିର୍ବାଚନ ଲଢିଥିଲି । ଏହା ପରେ ଟିଏମସି କେବେ ବି ଏହି ଆସନରୁ ଲଢିବା ପାଇଁ ମୋତେ କହି ନାହିଁ । ଏବେ ମୋତେ ନିର୍ବାଚନ ଲଢିବାରେ କୌଣସି ରୁଚି ନାହିଁ । ମୁଁ ମୋ ପରିବାର ଲୋକଙ୍କ ପରାମର୍ଶକ୍ରମେ ରାଜନୀତିରୁ ସନ୍ନ୍ୟାସ ନେଉଛି ।