ଭୁବନେଶ୍ୱର: ଓଡ଼ିଶାର ସଡ଼କ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ଆଧୁନିକ ଓ ସୁବିଧାଜନକ କରିବା ଦିଗରେ ବଡ଼ ପଦକ୍ଷେପ ନିଆଯାଇଛି। ରାଜ୍ୟର ଦୁଇଟି ପ୍ରମୁଖ ଜାତୀୟ ରାଜପଥ ପୁରୀ-ଭୁବନେଶ୍ୱର NH-316 ଓ ଟାଙ୍ଗୀରୁ ଇଚ୍ଛାପୁରମ ପର୍ଯ୍ୟନ୍ତ NH-16କୁ ୬ ଲେନ୍ ବିଶିଷ୍ଟ କଣ୍ଟ୍ରୋଲ୍ଡ ଆକ୍ସେସ୍ କରିଡରରେ ପରିଣତ କରାଯିବ।
ସୋମବାର ନୂଆଦିଲ୍ଲୀରେ ଓଡ଼ିଶାର ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ସହ ଆଲୋଚନା କରିଥିଲେ। ଏହି ବୈଠକରେ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ କେନ୍ଦ୍ର ସରକାର ସକାରାତ୍ମକ ଭାବେ ଗ୍ରହଣ କରିଥିବା ଜଣାପଡ଼ିଛି।
ପ୍ରସ୍ତାବ ଅନୁସାରେ, ପୁରୀ-ଭୁବନେଶ୍ୱର NH-316 କୁ ୬ ଲେନ୍ ବିଶିଷ୍ଟ କଣ୍ଟ୍ରୋଲ୍ଡ ଆକ୍ସେସ୍ ହାଇୱେରେ ପରିଣତ କରାଯିବ। ଏହା ସହ ସମ୍ପୂର୍ଣ୍ଣ ରାସ୍ତାରେ ସର୍ଭିସ୍ ରୋଡ୍ ନିର୍ମାଣ ହେବ, ଯାହା ଭୁବନେଶ୍ୱର ଓ ପୁରୀ ମଧ୍ୟରେ ବଢ଼ୁଥିବା ଟ୍ରାଫିକ୍ ଚାପକୁ କମାଇବ।ସେହିପରି, ଟାଙ୍ଗୀ-ପୁଇଁତଳା-ବ୍ରହ୍ମପୁର-ଇଚ୍ଛାପୁରମ NH-16 ଅଂଶକୁ ମଧ୍ୟ ୬ ଲେନ୍ କରାଯିବ। ଏହି ପ୍ରକଳ୍ପ ପାଇଁ ଡିପିଆର୍ ପ୍ରସ୍ତୁତି ଓ ଟେଣ୍ଡର ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ଏହାଛଡ଼ା ପୁରୀ-ବ୍ରହ୍ମଗିରି-ସାତପଡ଼ା ରାସ୍ତାକୁ ୪ ଲେନ୍ କରିବା ପାଇଁ ମଧ୍ୟ ରାଜ୍ୟ ସରକାର କେନ୍ଦ୍ରର ଅନୁମୋଦନ ଚାହିଁଛି। ଭୁବନେଶ୍ୱରରେ ପଳାଶୁଣିରୁ ଖଣ୍ଡଗିରି ଓ ତମାଣ୍ଡୋ ପର୍ଯ୍ୟନ୍ତ ସର୍ଭିସ୍ ରୋଡକୁ ୮ ଲେନ୍ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଏହି ସମସ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଯାତାୟାତ ଅଧିକ ସୁଗମ ହେବା ସହ ରାଜ୍ୟର ପର୍ଯ୍ୟଟନ, ବାଣିଜ୍ୟ ଓ ଆର୍ଥିକ ବିକାଶକୁ ନୂଆ ଗତି ମିଳିବ।