ଭୁବନେଶ୍ୱର: ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବାଲିଅନ୍ତା ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପୁଣି ଜଣେ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଇନ୍ଦୁପୁର ଗ୍ରାମରୁ ଅଭିଯୁକ୍ତକୁ ଗିରଫ କରାଯାଇଛି । ସେ ହେଲେ ଭୁବନେଶ୍ୱର ସତ୍ୟନଗର ଅଞ୍ଚଳର ରାମଚନ୍ଦ୍ର ବେହେରା । ଫଳରେ ଏହି ଗିରଫଦାରୀ ସଂଖ୍ୟା 16କୁ ବୃଦ୍ଧି ପାଇଛି ।
ଉଲ୍ଲେଖଯୋଗ୍ୟ, ମେ’ ୭ ତାରିଖରେ ସୌମ୍ୟରଞ୍ଜନଙ୍କୁ ଏକ ଦୁର୍ଘଟଣା ଏବଂ ଝିଅକୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା । ସୌମ୍ୟଙ୍କ ହାତ ଓ ଗୋଡ଼କୁ ବାଉଁଶରେ ବାନ୍ଧି ଅତି ଅମାନୁଷିକଭାବେ ଅତ୍ୟାଚାର କରାଯାଇଥିଲା । ଆଉ ସୌମ୍ୟରଞ୍ଜନଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବାବେଳେ ଦୁଇ ମୁଖ୍ୟ ଅଭିଯୁକ୍ତ ସମେତ 16 ଜଣ ଗିରଫ ହୋଇସାରିଲେଣି । ଦୁଇ ମୁଖ୍ୟ ଅଭିଯୁକ୍ତ ହେଲେ ପଞ୍ଚାନନ ବଡ଼ଜେନା ଅର୍ଥାତ୍ ‘କାଳିଆ’ ଏବଂ ରଞ୍ଜିତ ରଣାଙ୍କୁ ନୟାଗଡ଼ ରଣପୁର ଜଙ୍ଗଲ ଅଞ୍ଚଳରୁ ଗିରଫ କରାଯାଇଥିଲା ।
ତେବେ ଏହି ମାମଲାରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ସିସିଟିଭି ଫୁଟେଜରୁ ଚିହ୍ନଟ କରିଛି । ଯେଉଁମାନେ ଦୋଷୀ ଥିଲେ କାହାକୁ ଛଡ଼ାଯିବ ନାହିଁ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ।