ନୂଆଦିଲ୍ଲୀ: ଓଡିଶା ରାଜନୀତିରେ ପୁଣି ଏକ ବଡ ପରିବର୍ତ୍ତନ। ବିଜେଡିର ବରିଷ୍ଠ ନେତା ଓ ପୂର୍ବତନ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଆଜି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ ହୋଇଛନ୍ତି। ନୂଆଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟାଳୟରେ କେନ୍ଦ୍ରୀୟ ନେତୃତ୍ୱ ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି।
ଗତକାଲି ହିଁ ଦେବାଶିଷ ସାମନ୍ତରାୟ ବିଜେଡିରୁ ଇସ୍ତଫା ଦେବା ସହ ରାଜ୍ୟସଭା ସାଂସଦ ପଦ ମଧ୍ୟ ଛାଡ଼ି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ଇସ୍ତଫା ପରେ ସେ ବିଜେଡି ଉପରେ ଖୋଲାଖୋଲି ବର୍ଷିଥିଲେ। ଲୋକଙ୍କ ସ୍ୱାର୍ଥ ଓ ନିଜ ରାଜନୈତିକ ଆଦର୍ଶକୁ ଆଗରେ ରଖି ଏହି କଠିନ ନିଷ୍ପତ୍ତି ନେଇଥିବା ସେ କହିଥିଲେ।
ଦୀର୍ଘ ଦିନ ଧରି ଦଳ ଭିତରେ ତାଙ୍କର ଅସନ୍ତୋଷ ବଢ଼ୁଥିବା ଚର୍ଚ୍ଚା ହେଉଥିଲା। ଗତବର୍ଷ ସେ ବିଜେଡିର ବରିଷ୍ଠ ନାଗରିକ ସେଲର ଉପସଭାପତି ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ ଏବଂ ଏନେଇ ଦଳ ସଭାପତି ନବୀନ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ। ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ନିଜ ଅସନ୍ତୋଷ ଝାଡିବା ସହ ଦଳର ଗୁମର ଖୋଲିଥିଲେ।
ଦେବାଶିଷଙ୍କ ବିଜେପି ଯୋଗଦାନକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିବାବେଳେ, ଏହା ବିଜେଡି ପାଇଁ ଏକ ବଡ଼ ଝଟକା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।