ରାୟଗଡ଼ା: ଅଭାବ ଅନଟନ ମଧ୍ୟରେ ଅଲୋଡ଼ା ହୋଇଗଲା ପାଠପଢ଼ା । ଜୀବନ ରାସ୍ତାରେ ଅର୍ଥ ସାଜିଲା ବାଧକ । ଯୁକ୍ତ ୨ ଟପ୍ପର୍ ଛାତ୍ର ହୋଟେଲ ବାସନ ମାଜି ଚଳାଉଛନ୍ତି ପରିବାର । ଆଗକୁ ଆହୁରି ପାଠ ପଢ଼ିବାର ଆଖିରେ ଥିବା ଅସୁମାରୀ ସ୍ୱପ୍ନକୁ ଗଣ୍ଠିଲିରେ ବାନ୍ଧି ଚାଲିଗଲେ କେରଳ । କାରଣ ଟଙ୍କା ରୋଜଗାର କରିବେ ପାଠ ପଢ଼ିବେ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ ଜିଲ୍ଲା ମୁନିଗୁଡ଼ା ବ୍ଲକରେ ।
ନିକଟରେ ଯୁକ୍ତ ୨ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ତେଲେଙ୍ଗାପଦର ପଞ୍ଚାୟତର ଢେପାଗୁଡ଼ି ଗାଁର ମେଧାବୀ ଛାତ୍ର ଦେବେନ୍ଦ୍ର କୁସୁଲିଆ କଳା ବିଭାଗରେ ପରୀକ୍ଷା ଦେଇଥିଲେ । ଦେବେନ୍ଦ୍ର ଯୁକ୍ତ ଦୁଇ କଳାରେ ମୁନିଗୁଡ଼ା ବ୍ଲକରେ ସର୍ବାଧିକ ୮୬ ପ୍ରତିଶତ ମାର୍କ ମାର୍କ ରଖି ଟପ୍ପର୍ ହୋଇଛନ୍ତି । କିନ୍ତୁ ଦୁଃଖର କଥା, ସେ ନିଜର ସଫଳତାକୁ ନେଇ ପ୍ରିୟ ପରିଜନଙ୍କ ସହିତ ଖୁସି ମନାଇବା ବଦଳରେ କେରଳରେ ଦାଦନ ଖଟୁଛନ୍ତି ।
ପରୀକ୍ଷା ଶେଷ ହେବା ପରେ ଦେବେନ୍ଦ୍ର କାମ କରିବାକୁ କେରଳ ଚାଲିଯାଇଥିଲେ । ଛୋଟ ବୟସରୁ ଘରର ଦାୟିତ୍ୱ ସମ୍ଭାଳିବା ଏବଂ ଉଚ୍ଚ ଶିକ୍ଷା ପାଇଁ ଅର୍ଥ ଆବଶ୍ୟକତା ଥିବାରୁ ସେ କେରଳର ଏର୍ଣ୍ଣାକୁଲମ୍ ସହରରେ ଏକ ହୋଟେଲରେ ୱେଟର୍ ଭାବେ କାମ କରିବା ସହିତ ବାସନ ମଧ୍ୟ ଧୋଉଛନ୍ତି । ଯଦି ତାଙ୍କୁ ଉଚିତ ସହଯୋଗ ମିଳେ ସେ ଆଗକୁ ଆହୁରି ପାଠ ପଢ଼ି ଭଲ ଚାକିରୀ କରିବେ ବୋଲି ପରିବାର ଲୋକେ କହିଛନ୍ତି ।
ସେପଟେ ଛାତ୍ରଜଣକ ନାବାଳକ ଅଟନ୍ତି । ନାବାଳକ ଜଣଙ୍କୁ କିଏ କେରଳ ନେଲା, କୌଣସି ଦଲାଲ ଏଥିରେ ସାମିଲ ଅଛନ୍ତି ନାହିଁ ତାହା ଏବେ ବଡ଼ ପ୍ରଶ୍ନ ।