ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ପାହାଳ ଅଞ୍ଚଳର ଏକ ଭଡ଼ା ଘରୁ ଉଦ୍ଧାର ହୋଇଛି ଗୋଲ୍ଡି ଓରଫ ମନୀଷାଙ୍କ ଝୁଲନ୍ତା ମୃତଦେହ। ଭଦ୍ରକ ଜିଲ୍ଲାର ଏହି ଯୁବତୀ ଏମ୍ବିଏ ଶିକ୍ଷିତ ହେବା ସହ ବିଭିନ୍ନ ଘରୋଇ କମ୍ପାନୀର ମାନବ ସମ୍ବଳ (HR) ବିଭାଗରେ କାମ କରିବାର ଅଭିଜ୍ଞତା ରଖିଥିଲେ।
ସୂଚନା ଅନୁଯାୟୀ, କିଛି ମାସ ତଳେ ଚାକିରି ଛାଡ଼ିବା ପରେ ମନୀଷା ନିଜର ଏକ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଥିଲେ। ତେବେ ଗତ ୬ ମାସ ତଳେ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଥିବା ସୂଚନା ମିଳିଛି। ଚାକିରି ଚାଲିଯିବା ପରେ ସେ ଏହି ଭଡ଼ା ଘରେ ରହୁଥିଲେ।
ଜୀବନର ନୂଆ ଅଧ୍ୟାୟ ଲେଖିବାକୁ ସ୍ୱପ୍ନ ଦେଖୁଥିବା ବେଳେ ହଠାତ୍ ତାଙ୍କ ମୃତ୍ୟୁ ଅନେକ ପ୍ରଶ୍ନ ଛାଡ଼ି ଯାଇଛି। ସେ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ? ଏହା ପ୍ରକୃତରେ ଆତ୍ମହତ୍ୟା ନା ଏହା ପଛରେ ରହିଛି ଅନ୍ୟ କୌଣସି ରହସ୍ୟ?
ଖବର ପାଇ ପାହାଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରିଥିଲା। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ତଦନ୍ତ ଆରମ୍ଭ କରିଛି। ମନୀଷାଙ୍କ ମୋବାଇଲ ଜବତ ହୋଇଥିବା ବେଳେ କଲ୍ ରେକର୍ଡ ଯାଞ୍ଚ କରାଯିବ। ତଦନ୍ତ ପରେ ହିଁ ମନୀଷାଙ୍କ ମୃତ୍ୟୁ ପଛର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ।