ଭୁବନେଶ୍ୱର: ଆଉ କେଇଟା ଦିନ ପରେ ମୋହନ ସରକାର ପାଳିବେ ଦୁଇ ବର୍ଷ ପୂର୍ତ୍ତି ଉତ୍ସବ । ଏଥିପାଇଁ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ ଦେଇଛନ୍ତି । ତେବେ ଏହା ପୂର୍ବରୁ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେବାର ବଡ଼ ସଙ୍କେତ ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ଦୀର୍ଘ ଦୁଇ ବର୍ଷ ହେବ ଅନେକ ବିଧାୟକ ମନ୍ତ୍ରୀ ପଦ ପାଇବା ଆଶାରେ ଅପେକ୍ଷା କରି ରହିଛନ୍ତି । ଦୁଇ ବର୍ଷ ପୂର୍ତ୍ତିରେ ଏହି ସୁବର୍ଣ୍ଣ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ରାଜସ୍ୱ ମନ୍ତ୍ରୀ ଶ୍ରୀଯୁକ୍ତ ପୂଜାରୀ ବଡ଼ ସଙ୍କେତ ଦେଇଛନ୍ତି । କୌଣସି ମୁହୂର୍ତ୍ତରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହୋଇପାରେ । ରାଜସ୍ୱ ମନ୍ତ୍ରୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ସମୟ ସମୟରେ ଦିଲ୍ଲୀ ଗସ୍ତରେ ଯାଆନ୍ତି । ଆଗକୁ ଦୁଇ ବର୍ଷ ପୂର୍ତ୍ତି ଉତ୍ସବକୁ ଅତି ନିରାଡ଼ମ୍ବର ସହିତ ପାଳନ କରାଯିବ । ଏଥିରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀକୁ ନିମନ୍ତ୍ରଣ ଦିଆଯାଇଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ । ତେବେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ମନ୍ତ୍ରୀ କହିଛନ୍ତି ଯେ କୌଣସି ମୁହୂର୍ତ୍ତରେ ଏହା ହୋଇପାରେ । ଖାଲି ସେତିକି ନୁହେଁ ନିଗମ ବୋର୍ଡ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ତେଣୁ ଯେତେବେଳେ ହେବ ସେତେବେଳେ ସମସ୍ତଙ୍କୁ ଜଣାଇଦିଆଯିବ ବୋଲି ସେ କହିଛନ୍ତି ।
ସେପଟେ ମୁଖ୍ୟମନ୍ତ୍ରୀ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଥିବାବେଳେ ରାଜ୍ୟ ବିଜେପି ସଭାପତି ମଧ୍ୟ ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି । ଦେବାଶିଷ ସାମନ୍ତରାୟଙ୍କ ମିଶ୍ରଣ ପର୍ବରେ ମନମୋହନ ସାମଲ ଯୋଗ ଦେଇଥିଲେ । ତେବେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଜାତୀୟ ନେତାଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ ବୋଲି ସନ୍ଦେହ କରାଯାଉଛି ।
ଅନ୍ୟପକ୍ଷରେ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ପରେ ବିଧାୟକମାନଙ୍କ ମନରେ ଆଲୋଡ଼ନ ସୃଷ୍ଟି ହୋଇଛି । କାହାକୁ କେଉଁ ମନ୍ତ୍ରୀ ପଦ ମିଳିବ ଏବଂ କେଉଁ ମନ୍ତ୍ରୀ କେଉଁ ପଦରୁ ବାହାରିବେ ତାହାକୁ ନେଇ ଅଙ୍କ କଷା ଆରମ୍ଭ ହୋଇଛି ।