ଭୁବନେଶ୍ୱର: ବିଜୁ ଜନତା ଦଳର ପୂର୍ବତନ ପୁରୁଖା ନେତା ଦେବାଶିଷ ସାମନ୍ତରାୟ ଆଜି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇପାରନ୍ତି । ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଦେବାଶିଷ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇସାରିଛି ।
ବରିଷ୍ଠ ରାଜନେତା ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଗତକାଲି ବିଜେଡ଼ିରୁ ଇସ୍ତଫା ଦେଇଥିଲେ । ଏହା ପରେ ସେ ରାଜ୍ୟସଭା ସଦସ୍ୟରୁ ମଧ୍ୟ ଇସ୍ତଫା ଦେଇଥିଲେ । ଦେବାଶିଷ ବିଜେଡ଼ି ଛାଡ଼ିବା ପରେ ଭିକେ ପାଣ୍ଡିଆନଙ୍କ ଉପରେ ଅନର୍ଗଳ ବର୍ଷିଥିଲେ । ଦଳରେ ଅବହେଳା ଓ ନବୀନଙ୍କ ସହିତ ସାକ୍ଷାତ ନ ହୋଇପାରିବା ଭଳି ଅନେକ ଅଭିଯୋଗ ଆଣିଥିଲେ । ଦେବାଶିଷ ସିଧାସଳଖ ତାଙ୍କ ଇସ୍ତଫା ପାଇଁ ଭିକେ ପାଣ୍ଡିଆନଙ୍କୁ ଦାୟୀ କରିଥିଲେ ।
ସେ ଖୁବ ଶୀଘ୍ର ଏକ ରାଷ୍ଟ୍ରୀୟ ଦଳକୁ ଯିବେ ବୋଲି ଗଣମାଧ୍ୟମ ସହିତ ଆଲୋଚନା ସମୟରେ ପ୍ରତିକ୍ରିୟା ରଖିଥିଲେ । ସେହିପରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଦେବାଶିଷଙ୍କ ଯୋଗଦାନ ସମ୍ପର୍କରେ ସଙ୍କେତ ଦେଇଥିଲେ । ତେଣୁ ଆଜି ଦେବାଶିଷ ପଦ୍ମ ପୋଖରୀରେ ବୁଡ଼ ପକାଇବେ ବୋଲି ଚର୍ଚ୍ଚା ଜୋର ଧରିଛି ।