ନୂଆଦିଲ୍ଲୀ: ଦେଶରେ ପୁଣିଥରେ ବଢ଼ିଛି ପେଟ୍ରୋଲ ଏବଂ ଡିଜେଲର ଦାମ। ସୋମବାର ତେଲ କମ୍ପାନୀଗୁଡ଼ିକ ଇନ୍ଧନ ଦର ବୃଦ୍ଧି କରିବା ପରେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି। ମାତ୍ର ୧୦ ଦିନ ଭିତରେ ଚତୁର୍ଥ ଥର ପାଇଁ ସରକାର ତେଲ ଦର ବଢ଼ାଇଥିବା ବେଳେ ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସରକାରଙ୍କ ଉପ ଆକ୍ରମଣ କରିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ସେ ଅଭିଯୋଗ କରିଛନ୍ତି ଯେ, ସରକାର କିସ୍ତି ଅନୁସାରେ ଇନ୍ଧନ ଦାମ ବଢ଼ାଇ ସାଧାରଣ ଜନତାଙ୍କ ପକେଟରୁ ଚୁପଚାପ୍ ଡକାୟତି କରୁଛନ୍ତି।
ରାହୁଲ ଗାନ୍ଧୀ କହିଛନ୍ତି ଯେ ନିର୍ବାଚନ ଶେଷ ହେବା ମାତ୍ରେ ସରକାର ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ କରିଛନ୍ତି। ଲୋକଙ୍କ ବିରୋଧ ଯେପରି କମ୍ ହେବ, ସେଥିପାଇଁ ପର୍ଯ୍ୟାୟକ୍ରମେ ଧୀରେ ଧୀରେ ଦର ବଢ଼ାଯାଉଛି। ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ 'ମହଙ୍ଗା ମାନବ' ବା 'ଇନଫ୍ଲେସନ ମ୍ୟାନ୍' ବୋଲି ଆଖ୍ୟା ଦେଇଛନ୍ତି। ସେ ଲେଖିଛନ୍ତି, ଇନଫ୍ଲେସନ ମ୍ୟାନ୍ ମୋଦୀ ପୁଣିଥରେ ନିଜ ଖେଳ ଦେଖାଇଛନ୍ତି। ସେ ପେଟ୍ରୋଲ-ଡିଜେଲ ଦାମ କିସ୍ତିରେ ବଢ଼ାଉଛନ୍ତି, ଯଦ୍ୱାରା ଚୁପଚାପ୍ ଆପଣଙ୍କ ପକେଟ୍ କଟିଚାଲିବ।
ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଗତ କିଛି ମାସ ହେବ ଆସୁଥିବା ଆର୍ଥିକ ସଙ୍କଟ ବିଷୟରେ ଚେତାବନୀ ଦେଉଥିଲି। କିନ୍ତୁ ମୋଦୀ ଜୀ ସବୁଥର ଭଳି ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିଲେ। ନିର୍ବାଚନ ସରିବା ମାତ୍ରେ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୮ ଟଙ୍କା ମହଙ୍ଗା କରିଦେଲେ ଏବଂ ଏହି ବୃଦ୍ଧି ଆଗକୁ ମଧ୍ୟ ଜାରି ରହିବ। ନିର୍ବାଚନ ବେଳେ ବଡ଼ ବଡ଼ ପ୍ରତିଶ୍ରୁତି ଦେବା ଏବଂ ବାକି ସମୟରେ ଜନତାଙ୍କ ଉପରେ ମାଡ଼ କରିବା ହିଁ ସରକାରଙ୍କ କାମ।
ଖଡ଼ଗେ ମନେପକାଇଲେ ୟୁପିଏ ଶାସନ କାଳ
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ଏହି ଦର ବୃଦ୍ଧିକୁ ନେଇ ମୋଦୀ ସରକାରଙ୍କୁ ଘେରିଛନ୍ତି। ସେ କହିଛନ୍ତି ଯେ ଲୁଟ୍ ଏବେ ବି ଶେଷ ହୋଇନାହିଁ। ସାଧାରଣ ଲୋକଙ୍କ ସଞ୍ଚୟକୁ ଜାଳିବା ପାଇଁ ମୋଦୀ ସରକାର ପେଟ୍ରୋଲ ଛିଞ୍ଚିଛନ୍ତି। ୟୁପିଏ ସରକାରଙ୍କ ସମୟର ତଥ୍ୟ ଉପସ୍ଥାପନ କରି ଖଡ଼ଗେ କହିଛନ୍ତି, ୨୦୦୪ ରୁ ୨୦୧୪ ମଧ୍ୟରେ ୟୁପିଏ ଶାସନ କାଳରେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୧୭୫.୩୪% ବୃଦ୍ଧି ପାଇଥିଲା। କିନ୍ତୁ ମୋଦୀ ସରକାରଙ୍କ ଶାସନ କାଳରେ ବିଶ୍ୱ ବଜାରରେ କ୍ରୁଡ୍ ଅଏଲ୍ ଦାମ ବଢ଼ିନଥିଲେ ସୁଦ୍ଧା ୨୦୧୪ ରେ ଲିଟର ପିଛା ୭୧.୪୧ ଥିବା ପେଟ୍ରୋଲକୁ ୨୦୨୬ ରେ ୧୦୨.୧୨ କରାଯାଇଛି, ଯାହାକି ୪୩.୦୧% ବୃଦ୍ଧି। ସେହିପରି ଡିଜେଲ ଦରକୁ ମଧ୍ୟ ₹୫.୭୧ ରୁ ବଢ଼ାଇ ₹୯୫.୨୦ (୬୭.୮୭% ବୃଦ୍ଧି) କରାଯାଇଛି।