କେନ୍ଦୁଝର: ଭଉଣୀର କଙ୍କାଳ ବୋହି ସାରା ଦେଶରେ ଚର୍ଚ୍ଚାକୁ ଆସିଥିବା ଜିତୁ ମୁଣ୍ଡାଙ୍କ ଘରକୁ ଏବେ ରାଜନେତାଙ୍କ ସୁଅ ଛୁଟିଛି । ଦିଲ୍ଲୀରୁ ନେତା ଆସି ଜିତୁ ମୁଣ୍ଡାକୁ ଭେଟୁଛନ୍ତି । ଖୋଦ୍ ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଡିଆନାଳି ଗ୍ରାମକୁ ଆସି ଜିତୁଙ୍କୁ ଦେଖା କରି ସରକାରଙ୍କୁ ସମାଲୋଚନା କରିଛନ୍ତି । କୌଣସି ରାଜନୈତିକ ଦଳରେ ସାମିଲ ହୋଇନଥିବା ନିଜେ କହିଛନ୍ତି ଜିତୁ ମୁଣ୍ଡା ।
ଗତକାଲି ଆପ୍ ସାଂସଦ ସଞ୍ଜୟ ସିଂ ଜିତୁ ମୁଣ୍ଡଙ୍କୁ ଭେଟି ଘଟଣା ସମ୍ପର୍କ ରେ ପଚାରି ବୁଝିଥିଲେ। ସବୁ ରାଜନୈତିକ ଦଳ ଅପେକ୍ଷା ଆପ୍ ଦୁଇ ପାଦ ଆଗକୁ ଯାଇ ଏହି ଘଟଣା ରୁ ରାଜନୈତିକ ଫାଇଦା ନେବାକୁ ଭରପୁର ଉଦ୍ୟମ କରିଥିଲା। ଆପର ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଜିତୁ ମୁଣ୍ଡାଙ୍କ ବେକରେ ଦଳୀୟ ଉତ୍ତରୀୟ ପିନ୍ଧାଇ ଜିତୁ ମୁଣ୍ଡା ସ୍ୱଇଚ୍ଛାରେ ଦଳରେ ଯୋଗ ଦେଇଥିବା ନେଇ ସାମାଜିକ ଗଣମାଧ୍ୟମରେ ଏକ ଭିଡ଼ିଓ ବାର୍ତ୍ତା ଦେଇଥିଲେ । କିନ୍ତୁ ଆଜି ଜିତୁ ମୁଣ୍ଡା ନିଜ ପ୍ରତିକ୍ରିୟାରେ ସେ କୌଣସି ରାଜନୈତିକ ଦଳରେ ଯୋଗ ଦେଇନଥିବା କହିବା ସହ ଆପର ନେତା ଓ କର୍ମୀମାନେ ତାଙ୍କ ବେକରେ ଏକ ପତକା ପିନ୍ଧେଇ ଦେଇଥିବା କହିଛନ୍ତି।
ଆଗକୁ କୌଣସି ରାଜନୀତିରେ ଯୋଗ ଦେବେ ନାହିଁ ବୋଲି ସିଧା ନିଜ ପ୍ରତିକ୍ରିୟାରେ ରଖିଛନ୍ତି। ତେବେ ଜିତୁ ମୁଣ୍ଡାଙ୍କ ଏପରି ପ୍ରତିକ୍ରିୟା ପରେ ଆପର ରାଜନୈତିକ ଫାଇଦା ପାଇଁ ସବୁ ଉଦ୍ୟମ ଫସର ଫାଟିଥିବା ସାଧାରଣ ରେ ଚର୍ଚ୍ଚା ର ବିଷୟ ହୋଇଛି।