କଟକ: ଗୋଟିଏ ସମୟରେ ଯାହାର ନାମ ସହ ଯୋଡ଼ି ହୋଇଥିଲା ଆନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଅଲ୍ କାଏଦାର ଛାପ, ଆଜି ସେହି ବ୍ୟକ୍ତି କୋର୍ଟରୁ ନିର୍ଦ୍ଦୋଷରେ ମୁକ୍ତ ହୋଇଛନ୍ତି। ପ୍ରାୟ ୧୧ ବର୍ଷର ଲମ୍ବା ଆଇନଗତ ଲଢ଼େଇ ପରେ କଟକର ଜିଲ୍ଲା ଦୌରାଜଜ୍ ଅବଦୁର ରେହମାନଙ୍କୁ ପ୍ରମାଣ ଅଭାବରୁ ଖଲାସ କରିଛନ୍ତି।
୨୦୧୫ ଡିସେମ୍ବର ୧୬। କଟକର ଜଗତପୁର ଥାନା ଅନ୍ତର୍ଗତ ପଶ୍ଚିମକଚ୍ଛ ଅଞ୍ଚଳରେ ହଠାତ୍ ଚାଲିଥିଲା ଏକ ବଡ଼ ଅପରେସନ୍। ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଓ ଓଡ଼ିଶା ପୋଲିସର ମିଳିତ ଚଢ଼ାଉ ପରେ ଗିରଫ ହୋଇଥିଲେ ଅବଦୁର ରେହମାନ। ସେତେବେଳେ ଅଭିଯୋଗ ହୋଇଥିଲା ଯେ, ସେ ଅଲ୍ କାଏଦାର ଭାରତୀୟ ଶାଖା AQIS (Al-Qaeda in the Indian Subcontinent) ସହ ସିଧାସଳଖ ସମ୍ପର୍କରେ ଥିଲେ। ଏହି ଗିରଫଦାରୀ ଦେଶବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।
କିନ୍ତୁ ବର୍ଷ ପରେ ବର୍ଷ ଚାଲିଥିବା ଶୁଣାଣିରେ ଅଭିଯୋଗ ପକ୍ଷ କୋର୍ଟରେ ଦୃଢ଼ ଓ ବିଶ୍ୱସନୀୟ ପ୍ରମାଣ ଦାଖଲ କରିବାରେ ସଫଳ ହୋଇପାରିନଥିଲା। ଫଳରେ ଦୀର୍ଘ ଅପେକ୍ଷା ପରେ ଆସିଛି ଏହି ବହୁ ଚର୍ଚ୍ଚିତ ମାମଲାର ରାୟ, ଯେଉଁଥିରେ ଅବଦୁର ରେହମାନଙ୍କୁ ନିର୍ଦ୍ଦୋଷରେ ମୁକ୍ତ କରାଯାଇଛି।କୋର୍ଟଙ୍କ ରାୟ ପରେ ଗଣମାଧ୍ୟମ ସମ୍ମୁଖରେ ଅବଦୁର ରେହମାନ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ତାଙ୍କୁ ମିଛ ଅଭିଯୋଗରେ ଫସାଯାଇଥିଲା। ଏହି ମାମଲା କାରଣରୁ ତାଙ୍କୁ ୧୧ ବର୍ଷ ଧରି ଜେଲ୍ରେ ରହିବାକୁ ପଡ଼ିଛି। ଏହା ତାଙ୍କ ଜୀବନର ଏକ ଅମୂଲ୍ୟ ସମୟକୁ ଛଡ଼ାଇ ନେଇଛି ବୋଲି ସେ କହିଛନ୍ତି।
ଏବେ ପ୍ରଶ୍ନ ଉଠୁଛି, ଯଦି ଅବଦୁର ରେହମାନ ନିର୍ଦ୍ଦୋଷ ଥିଲେ, ତେବେ ଏତେ ବର୍ଷ ଧରି ତାଙ୍କୁ କାହିଁକି ଜେଲ୍ରେ ରହିବାକୁ ପଡ଼ିଲା? ଆଉ ଯଦି ତଦନ୍ତରେ ତ୍ରୁଟି ଥିଲା, ସେଥିପାଇଁ ଦାୟୀ କିଏ?