ବାରଙ୍ଗ: ନିଜର ଅପାରଗତାକୁ ଲୁଚାଇବାକୁ ଯାଇ ପୋଲିସ ନିର୍ଦ୍ଦୋଷ ଉପରେ ଦୋଷ ଲଦି ଖସିଯିବାକୁ ବସିଛି । ନିଖୋଜ ସ୍ତ୍ରୀକୁ ଖୋଜିବା ବଦଳରେ ସ୍ୱାମୀକୁ ମାଡ଼ ମାରି ଦରମରା କରିଛି ପୋଲିସ । ଶେଷରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସ୍ୱାମୀ । କଟକ ବାରଙ୍ଗ ପୋଲିସ ନାଁରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଯାହାକୁ ନେଇ ବାରଙ୍ଗ ଥାନା ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିବାବେଳେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଅନ୍ୟର ମୃତ ଦେହକୁ ନେବାକୁ ପରିବାର ଉପରେ ଚାପ
ବାରଙ୍ଗ ଥାନା ଅଧିନସ୍ଥ ଚଣ୍ଡିପ୍ରସାଦ ଗ୍ରାମର ରାକେଶ ବେହେରାଙ୍କ ପତ୍ନୀ ରଶ୍ମିତା ବେହେରା ଗତ ୧୫ ତାରିଖଠାରୁ ନିଖୋଜ ଅଛନ୍ତି । ଏ ନେଇ ରାକେଶ ବାରଙ୍ଗ ଥାନାରେ ନିଖୋଜ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ କୌଣସି ଖୋଜ ଖବର ନେଇନଥିଲା । ଗତ ଚାରି ଦିନ ତଳେ କାଠଯୋଡ଼ି ନଦୀ ପଠାରେ ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । ବାରଙ୍ଗ ପୋଲିସ ରାକେଶ, ରଶ୍ମିତାଙ୍କ ପରିବାରକୁ ଚିହ୍ନଟ ପାଇଁ ଡାକିଥିଲା । କିନ୍ତୁ ଉକ୍ତ ମୃତ ମହିଳା ତାଙ୍କ ପତ୍ନୀ ନୁହଁନ୍ତି ବୋଲି ରାକେଶ କହିଥିଲେ । ମୃତ ଦେହକୁ ଗ୍ରହଣ କରିବାକୁ ପୋଲିସ ଚାପ ପକାଇଥିଲା । ପରିବାର ଲୋକେ ଉକ୍ତ ମୃତଦେହକୁ ଗ୍ରହଣ କରିବାକୁ ମନା କରିଥିଲେ ।
ପୋଲିସ ରାକେଶ ଏବଂ ତାଙ୍କ ସାଙ୍ଗ ମିଥୁନଙ୍କୁ ଅଟକ ରଖିଥିଲା । ସକାଳେ ମିଥୁନଙ୍କୁ ଛାଡ଼ି ଦେଇଥିଲା । ରାକେଶ ବେହେରାକୁ ଅଟକ ରଖି ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏପରିକି ଯେଉଁ ରାକେଶ ଥାନାକୁ ଚାଲି ଚାଲି ଯାଇଥିଲେ ସେହି ରାକେଶ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଯାହାକୁ ନେଇ ବାରଙ୍ଗ ଥାନା ପରିସରରେ ପ୍ରବଳ ଉତ୍ତେଜନା ଦେଖା ଦେଇଛି ।
ଜୀବିତ ଅଛନ୍ତି ରଶ୍ମିତା
ସେପଟେ ରଶ୍ମିତା ବେହେରା ଜୀବିତ ଥିବା ଜଣାପଡ଼ିଛି । ରଶ୍ମିତା ଏବେ ଘରକୁ ଫେରିବାକୁ ମନା କରିଦେଇଥିଲା । ସେ ପରିବାର ଲୋକଙ୍କ ସହିତ କଥା ମଧ୍ୟ ହେଉଛନ୍ତି । କିନ୍ତୁ ଘରକୁ ଫେରିବାକୁ ମନା କରୁଛନ୍ତି । ଏପରିକି ସେ ଭିଡ଼ିଓ କଲରେ କଥା ହେଉଥିବାବେଳେ କେଉଁଠି ଅଛନ୍ତି କିଛି କହୁନାହାଁନ୍ତି ।
ଏହାକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଗ୍ରାମବାସୀ ବାରଙ୍ଗ ଥାନାରେ ହୋହାଲ୍ଲା କରିଛନ୍ତି । ଆଜି ସକାଳୁ ସକାଳୁ ଚାରି ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।