ସୋନପୁର ଜିଲ୍ଲାରେ ଜଣେ ନକଲି ସାମ୍ବାଦିକଙ୍କ କଳା କାରନାମା ପଦାକୁ ଆସିଛି। ପଟାଭାଡ଼ି ଅଞ୍ଚଳରେ ରହୁଥିବା ଶଶାଙ୍କ ମିଶ୍ରଙ୍କ ଘରେ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ନିଶାଦ୍ରବ୍ୟ ଓ ନଗଦ ଟଙ୍କା ଜବତ କରିଛି।
ଚଢ଼ାଉ ବେଳେ ଘରୁ ୧୬୪ ବୋତଲ ୱିନିରେକ୍ସ କଫ୍ ସିରପ୍, ୨.୮ କେଜି ଗଞ୍ଜେଇ, ୫.୫ ଲକ୍ଷ ଟଙ୍କା ନଗଦ, ଏକ ଏୟାର ପିସ୍ତଲ, ଅନଲାଇନ୍ ପେମେଣ୍ଟ ସ୍କାନର ଓ ଓଜନ ମାପିବା ମେସିନ ଜବତ ହୋଇଛି।
ପୋଲିସ ସୂଚନା ଅନୁଯାୟୀ, ଶଶାଙ୍କ ନିଜ ଗାଡ଼ିରେ ‘ପ୍ରେସ୍’ ଷ୍ଟିକର ଲଗାଇ ସାମ୍ବାଦିକ ପରିଚୟର ଦୁରୁପଯୋଗ କରୁଥିଲେ। ତାଙ୍କ ଘରୁ ଏକ ବୁମ୍ ମାଇକ୍ ଓ ‘ସୂଚନା ମିଡିଆ’ ନାମର ପରିଚୟପତ୍ର ମଧ୍ୟ ମିଳିଛି।
ଏସ୍ପି ନାରାୟଣ ନାୟକ ଓ ଅତିରିକ୍ତ ଏସ୍ପି କେ.କେ. ହରିପ୍ରସାଦଙ୍କ ତତ୍ତ୍ୱାବଧାନରେ ଏହି ଚଢ଼ାଉ କରାଯାଇଥିଲା। ପୋଲିସର କହିବା ଅନୁଯାୟୀ, ସାମ୍ବାଦିକ ପରିଚୟକୁ ଢାଲ କରି ସେ ବେଆଇନ କାରବାର ଚଳାଉଥିଲେ। ଏହି ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ତାହାର ତଦନ୍ତ ଜାରି ରହିଛି।