ନୂଆଦିଲ୍ଲୀ: ଝିଅମାନେ ସାନିଟାରୀ ନାପକିନ୍ କିମ୍ବା ଋତୁସ୍ରାବ ସମ୍ବନ୍ଧୀୟ ସୁବିଧା ଅଭାବରୁ ସ୍କୁଲ ଛାଡ଼ିବାକୁ ବାଧ୍ୟ ହେବା ଉଚିତ୍ ନୁହେଁ। ଏଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାରଙ୍କୁ ମାସିକ ସ୍ୱାସ୍ଥ୍ୟ ସୁବିଧା ସମ୍ବନ୍ଧୀୟ ନିର୍ଦ୍ଦେଶଗୁଡ଼ିକୁ ସାରା ଦେଶରେ ସଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ କହିଛନ୍ତି।
ଜଷ୍ଟିସ ଜେ.ବି. ପାରଦିୱାଲା ଓ ଜଷ୍ଟିସ ଆର. ମହାଦେବନଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଏହା କେବଳ ସ୍ୱାସ୍ଥ୍ୟର ପ୍ରସଙ୍ଗ ନୁହେଁ, ବରଂ ଝିଅମାନଙ୍କ ଶିକ୍ଷା ଓ ସମ୍ମାନଜନକ ଜୀବନ ସହ ସିଧାସଳଖ ଭାବେ ଜଡ଼ିତ। ନାପକିନ୍ ଓ ଶୌଚାଳୟ ଅଭାବ ଯୋଗୁ କୌଣସି ଝିଅ ପାଠପଢ଼ା ଛାଡ଼ି ଘରେ ବସି ଘରୋଇ କାମ କରିବାକୁ ବାଧ୍ୟ ହେବା ଉଚିତ୍ ନୁହେଁ।
କୋର୍ଟ କହିଛନ୍ତି ଯେ, ଚଳିତ ବର୍ଷ ଜାନୁଆରୀ ୩୦ରେ ଦିଆଯାଇଥିବା ରାୟରେ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ସ୍କୁଲରେ ପଢ଼ୁଥିବା ଛାତ୍ରୀମାନଙ୍କ ପାଇଁ ମାଗଣା ସାନିଟାରୀ ପ୍ୟାଡ୍ ବ୍ୟବସ୍ଥା କରିବା ସହ ଝିଅମାନଙ୍କ ପାଇଁ ପୃଥକ ଶୌଚାଳୟ ଏବଂ ଆବଶ୍ୟକ ଋତୁସ୍ରାବ ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ସୋମବାରର ଶୁଣାଣି ବେଳେ କେନ୍ଦ୍ର ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ୍ ଅର୍ଚ୍ଚନା ପାଠକ ଦାଭେ ଏକ ରିପୋର୍ଟ ଦାଖଲ କରିଥିଲେ। ସେ କହିଥିଲେ ଯେ, ରାୟ ପରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏହି ଦିଗରେ ପଦକ୍ଷେପ ତ୍ୱରାନ୍ୱିତ କରିଛନ୍ତି। ବିଭିନ୍ନ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ସହ ବୈଠକ ମଧ୍ୟ ହୋଇଛି। ତେବେ ସଠିକ୍ ପ୍ରଗତି ଦେଖିବାକୁ ଅତିକମରେ ଛଅ ମାସ ସମୟ ଲାଗିପାରେ ବୋଲି ସେ କହିଥିଲେ।
ସୁପ୍ରିମକୋର୍ଟ କହିଛନ୍ତି ଯେ, ଜାନୁଆରୀ ୩୦ର ରାୟର ପାଳନ ଉପରେ ପ୍ରତି ୩ ମାସରେ ନଜର ରଖାଯିବ। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ନିୟମିତ ଭାବେ ତଥ୍ୟ ସଂଗ୍ରହ କରି ନୂଆ ସ୍ଥିତି ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।
କୋର୍ଟ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ, ସମ୍ବିଧାନର ଅନୁଚ୍ଛେଦ ୨୧ ଅନୁସାରେ ଜୀବନର ଅଧିକାର ଭିତରେ ଋତୁସ୍ରାବ ସ୍ୱାସ୍ଥ୍ୟର ଅଧିକାର ମଧ୍ୟ ସାମିଲ ଅଛି। ତେଣୁ ପ୍ରତ୍ୟେକ ଝିଅଙ୍କୁ ମର୍ଯ୍ୟାଦା, ଗୋପନୀୟତା ଓ ସୁରକ୍ଷା ସହ ଋତୁସ୍ରାବ ପରିଚାଳନା କରିବାର ସୁଯୋଗ ମିଳିବା ଦରକାର। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧ରେ ହେବ।