ଝାରସୁଗୁଡା: ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ସରବାହାଲ ଅଞ୍ଚଳରେ ଏକ ଆଧୁନିକ ଫୁଡ୍ ଜୋନ୍ ସ୍ଥାପନ ପାଇଁ ଜିଲ୍ଲାପାଳଙ୍କୁ ପତ୍ର ଲେଖି ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ, ଝାରସୁଗୁଡା ପୌରାଞ୍ଚଳ ଅଧୀନ ସରବାହାଲରେ ଶିଳ୍ପ ବିଭାଗର ଅଧୀନରେ ଥିବା ଖାଲି ଜମିକୁ ସାଧାରଣ ଲୋକଙ୍କ ସ୍ୱାର୍ଥରେ ଫୁଡ୍ ଜୋନ୍ ଭାବେ ବିକଶିତ କରାଯାଇପାରିବ।
ଏହି ଫୁଡ୍ ଜୋନ୍ ସ୍ଥାପନ ହେଲେ ସହରରେ ଅନିୟନ୍ତ୍ରିତ ଭାବେ ଚାଲୁଥିବା ରାସ୍ତାକଡ଼ ଖାଦ୍ୟ ବ୍ୟବସାୟକୁ ସଂଗଠିତ କରାଯିବା ସହ ଟ୍ରାଫିକ ସମସ୍ୟା ଓ ଜନଗହଳି ହ୍ରାସ ପାଇବ। ଏଥିସହ ସ୍ଥାନୀୟ ଯୁବକ ଓ ଛୋଟ ବ୍ୟବସାୟୀମାନଙ୍କ ପାଇଁ ସ୍ୱାବଲମ୍ବନ ଓ ରୋଜଗାରର ନୂଆ ସୁଯୋଗ ସୃଷ୍ଟି ହେବ। ଫୁଡ୍ ଜୋନ୍ ମାଧ୍ୟମରେ ଖାଦ୍ୟ ବ୍ୟବସାୟକୁ ଏକ ସୁସଂଗଠିତ ରୂପ ମିଳିବା ସହ ଲୋକଙ୍କୁ ଉନ୍ନତ ସୁବିଧା ମଧ୍ୟ ମିଳିବ ବୋଲି ସେ କହିଛନ୍ତି।
ପତ୍ରରେ ସେ ଜିଲ୍ଲା ପ୍ରଶାସନକୁ ଶୀଘ୍ର ଫୁଡ୍ ଜୋନ୍ ସ୍ଥାପନ ପାଇଁ ପଦକ୍ଷେପ ନେବା ସହ ଶିଳ୍ପ ବିଭାଗ ପକ୍ଷରୁ ଜମି ହସ୍ତାନ୍ତର ପ୍ରକ୍ରିୟା ଚାଲିଥିବା ବେଳେ ମଧ୍ୟ କାର୍ଯ୍ୟାନ୍ବୟନକାରୀ ସଂସ୍ଥାକୁ ଆଗୁଆ ଅନୁମତି ଦେଇ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଛନ୍ତି। ସ୍ଥାନୀୟ ଲୋକଙ୍କ ଦୀର୍ଘଦିନର ଦାବିକୁ ଦୃଷ୍ଟିରେ ରଖି ଏହି ପ୍ରସ୍ତାବିତ ଫୁଡ୍ ଜୋନ୍ ଝାରସୁଗୁଡାର ଆର୍ଥିକ ଓ ବ୍ୟବସାୟିକ ବିକାଶକୁ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି।