ଭୁବନେଶ୍ୱର: ରାଜ୍ୟର ଦୁଇ ପ୍ରମୁଖ ସହର ଭୁବନେଶ୍ୱର ଓ କଟକର ସହରୀୟ ପରିବହନ ବ୍ୟବସ୍ଥା ଉପରେ ହେବ ସ୍ୱତନ୍ତ୍ର ଅଡିଟ୍। ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (CAG) ଦେଶର ୧୦୧ଟି ସହରରେ ‘ସିଟିଜେନ୍-ସେଣ୍ଟ୍ରିକ୍ କମ୍ପ୍ଲାଏନ୍ସ ଅଡିଟ୍ ଅନ୍ ଅର୍ବନ୍ ମୋବିଲିଟି’ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ତାଲିକାରେ ଓଡ଼ିଶାରୁ ଭୁବନେଶ୍ୱର ଓ କଟକକୁ ସାମିଲ କରାଯାଇଛି।
ଏହି ଅଡିଟ୍କୁ ନେଇ ସୋମବାର ଖାରବେଳ ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଏକ ‘ଏଣ୍ଟ୍ରି କନଫରେନ୍ସ’ ଅନୁଷ୍ଠିତ ହୋଇଥିଲା। ଗୃହ ଓ ସହରାଞ୍ଚଳ ବିକାଶ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ଏହି ବୈଠକର ଅଧ୍ୟକ୍ଷତା କରିଥିଲେ।
ବୈଠକରେ ପ୍ରିନ୍ସିପାଲ୍ ଆକାଉଣ୍ଟାଣ୍ଟ ଜେନେରାଲ୍ (ଅଡିଟ୍-୧) ସୁବୁ ଆର୍, ଡେପୁଟି ଆକାଉଣ୍ଟାଣ୍ଟ ଜେନେରାଲ୍ ବାଳକୃଷ୍ଣ ଏବଂ ଅଡିଟ୍ ଟିମ୍ର ସଦସ୍ୟମାନେ ଉପସ୍ଥିତ ଥିଲେ। ଅଡିଟ୍ ଟିମ୍ ପକ୍ଷରୁ ପ୍ରସ୍ତାବିତ ଅଡିଟ୍ର ମାନଦଣ୍ଡ, ଆଇନଗତ ଢାଞ୍ଚା, ସହରୀୟ ପରିବହନ ବ୍ୟବସ୍ଥା, ସେବା କ୍ଷେତ୍ର, ପଦ୍ଧତି ଓ ସମୟସୀମା ସମ୍ପର୍କରେ ବିସ୍ତୃତ ଉପସ୍ଥାପନା କରାଯାଇଥିଲା।
ସେହିପରି ଆକାଉଣ୍ଟାଣ୍ଟ ଜେନେରାଲ୍ କାର୍ଯ୍ୟାଳୟ ପକ୍ଷରୁ ଗୃହ ଓ ସହରାଞ୍ଚଳ ବିକାଶ ବିଭାଗରୁ ଜଣେ ନୋଡାଲ୍ ଅଫିସର ନିଯୁକ୍ତ କରିବା ସହ ଅଡିଟ୍ ପ୍ରକ୍ରିୟାରେ ସମସ୍ତ ବିଭାଗ ଓ ସଂସ୍ଥାର ସହଯୋଗ ଲୋଡ଼ାଯାଇଥିଲା।
ଉଷା ପାଢ଼ୀ ଅଡିଟ୍ କାର୍ଯ୍ୟ ସଫଳ ଭାବେ ସମ୍ପନ୍ନ କରିବା ପାଇଁ ପୂର୍ଣ୍ଣ ସହଯୋଗର ଆଶ୍ୱାସନ ଦେଇଥିଲେ। ସେ ବିଭାଗୀୟ ଅଧିକାରୀ ଓ ସଂପୃକ୍ତ ସଂସ୍ଥାମାନଙ୍କୁ ସେମାନଙ୍କ ସମସ୍ୟା, ଚ୍ୟାଲେଞ୍ଜ ଓ କାର୍ଯ୍ୟକ୍ଷେତ୍ରର ବିଭିନ୍ନ ପ୍ରସଙ୍ଗ ଅଡିଟ୍ ଟିମ୍ ସମ୍ମୁଖରେ ଉପସ୍ଥାପନ କରିବାକୁ ପରାମର୍ଶ ଦେଇଥିଲେ।
ଏହି ଅଡିଟ୍ ମାଧ୍ୟମରେ ଭୁବନେଶ୍ୱର ଓ କଟକର ପରିବହନ ବ୍ୟବସ୍ଥା, ଜନସାଧାରଣଙ୍କ ସୁବିଧା ଓ ସେବାର ଗୁଣାତ୍ମକ ମୂଲ୍ୟାଙ୍କନ ହେବ ବୋଲି ଆଶା କରାଯାଉଛି।