କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଶିକ୍ଷକ ଅସନ୍ତୋଷ ପୁଣି ତୀବ୍ର ରୂପ ନେଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ (RUTA) ପକ୍ଷରୁ ଆଜି ସାମୂହିକ ଛୁଟି (Mass Casual Leave) ପାଳନ କରାଯାଉଛି। ଏହାସହ ସକାଳ ୧୦ଟାରୁ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକମାନେ ଏକତ୍ରିତ ହୋଇ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଛନ୍ତି।
ରକ୍ଷାବନ୍ଧନ ଅବସରରେ ଶିକ୍ଷକମାନେ କଳା ବ୍ୟାଜ୍ ପିନ୍ଧି ନିଜର ଏକତା ଓ ପ୍ରତିବାଦର ବାର୍ତ୍ତା ଦେବେ। ସାମୂହିକ କ୍ଷୋଭ ଓ ନିଜ ଦାବି ପ୍ରତି ଦୃଢ଼ ସଂକଳ୍ପର ପ୍ରତୀକ ସ୍ୱରୂପ ଏହି ଆନ୍ଦୋଳନ କରାଯାଉଛି ବୋଲି RUTA ପକ୍ଷରୁ କୁହାଯାଇଛି।
ଅଗଷ୍ଟ ୩ରେ ଇଷ୍ଟ ହଷ୍ଟେଲର ଛାତ୍ର ଆନ୍ଦୋଳନ ସମୟରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଓ ବରିଷ୍ଠ ଅଧ୍ୟାପକ ପ୍ରଫେସର ସୁଦର୍ଶନ ମିଶ୍ରଙ୍କ ମଧ୍ୟରେ ହୋଇଥିବା ବିବାଦ ପରେ ଏହି ପ୍ରସଙ୍ଗ ଜୋର ଧରିଥିଲା। RUTA ବିଧାୟକଙ୍କ ବିରୋଧରେ ଜଣେ ବରିଷ୍ଠ ଶିକ୍ଷକଙ୍କୁ ଅସମ୍ମାନ କରିବାର ଅଭିଯୋଗ ଆଣିଥିବା ବେଳେ ବିଧାୟକ ମଧ୍ୟ ପ୍ରଫେସରଙ୍କ ବିରୋଧରେ ବାଚସ୍ପତିଙ୍କୁ ପତ୍ର ଲେଖିଥିଲେ।
ଘଟଣା ପରେ ବିଶ୍ୱବିଦ୍ୟାଳୟର ୱାର୍ଡେନ୍ ଓ ଡେପୁଟି ୱାର୍ଡେନ୍ମାନେ ସାମୂହିକ ଭାବେ ପ୍ରଶାସନିକ ଦାୟିତ୍ୱରୁ ଇସ୍ତଫା ଦେଇଥିଲେ। ପରବର୍ତ୍ତୀ ସମୟରେ ୧୩ଟି ହଷ୍ଟେଲର ୱାର୍ଡେନ୍ ବ୍ୟବସ୍ଥାରେ ପରିବର୍ତ୍ତନକୁ ନେଇ ମଧ୍ୟ RUTA ଆପତ୍ତି ଉଠାଇଥିଲା।
ଶିକ୍ଷକ ସଂଘର ଦାବି ହେଉଛି, ବିଶ୍ୱବିଦ୍ୟାଳୟର ସ୍ୱାୟତ୍ତତା ରକ୍ଷା, ଶିକ୍ଷକଙ୍କ ସମ୍ମାନ ପୁନଃସ୍ଥାପନ, ପ୍ରଶାସନିକ ବ୍ୟବସ୍ଥାରେ ବାହ୍ୟ ହସ୍ତକ୍ଷେପ ରୋକିବା ସହ ଇଷ୍ଟ ହଷ୍ଟେଲ ଘଟଣାର ନିରପେକ୍ଷ ସମୀକ୍ଷା କରାଯାଉ। ଏହି ସମସ୍ତ ଦାବିକୁ ନେଇ ଆଜିର ସାମୂହିକ ଛୁଟି ଓ ପ୍ରତିବାଦ କାର୍ଯ୍ୟକ୍ରମକୁ ରେଭେନ୍ସା କ୍ୟାମ୍ପସରେ ଗୁରୁତ୍ୱର ସହ ଦେଖାଯାଉଛି।