ଭୁବନେଶ୍ୱର: ରାକ୍ଷୀ ପୂର୍ଣ୍ଣିମା ଅବସରରେ ଆଜି ମହିଳାଙ୍କ ଆକାଉଣ୍ଟକୁ ଯିବ ‘ସୁଭଦ୍ରା’ ଟଙ୍କା । ନୟାଗଡ଼ ଜିଲ୍ଲା ଲାଠିପଡ଼ା ଗ୍ରାମ ଖେଳପଡ଼ିଆଠାରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ କରାଯିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମହିଳାଙ୍କ ଆକାଉଣ୍ଟକୁ ଏକକାଳୀନ ୫ ହଜାର ଟଙ୍କା ପ୍ରଦାନ କରିବେ । କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେବେ ।
ପଞ୍ଚମ କିସ୍ତିରେ ମୋଟ ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ହିତାଧିକାରୀଙ୍କୁ ମିଳିବ ଟଙ୍କା । ତନ୍ମଧ୍ୟରୁ ୨ ଲକ୍ଷ ୨୧ ହଜାର ୫୪ ଜଣ ନୂଆ ହିତାଧିକାରୀ ଅଛନ୍ତି । ମୋଟ ୫,୧୬୦ କୋଟିରୁ ଅଧିକ ଟଙ୍କା ଡିବିଟି ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଇ ସରକାର । ନୂତନ ହିତାଧିକାରୀ ସହିତ ପୁରୁଣା ହିତାଧିକାକୀରଙ୍କୁ ଏକକାଳୀନ ଟଙ୍କା ପ୍ରଦାନ କରାଯିବ । ଯେଉଁ ହିତାଧିକାରୀ ପଞ୍ଚମ କିସ୍ତି ପାଇବାରୁ ବଞ୍ଚିତ ହେବେ ମାସକ ପରେ ସେମାନଙ୍କୁ ଟଙ୍କା ପଠାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
କାର୍ଯ୍ୟସୂଚୀ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ୧୧ଟା ୧୫ରେ ହେଲିକପ୍ଟରରେ ଆସି ପହଞ୍ଚିବେ। ୧୧ଟା ୨୫ରେ ସଭା ଆରମ୍ଭ ହୋଇ ୧ଟା ୧୦ରେ ଶେଷ ହେବ । ସାଢ଼େ ଗୋଟିଏରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ। ମୁଖ୍ୟମନ୍ତ୍ରୀଙ୍କ ନୟାଗଡ଼ ଗସ୍ତ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ଚଳଚଞ୍ଚଳ ହୋଇଉଠିଛି। ପ୍ରାୟ ୧୫ ହଜାରରୁ ଅଧିକ ଜନସାଧାରଣ ସମାଗମ ହେବାର ରହିଛି । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।