ପୁରୀ: ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା । ହଳଦୀ ମୁହିଁ ଭଉଣୀ ସୁଭଦ୍ରା ବଡ଼ ଭାଇ ବଳଭଦ୍ର ଏବଂ ଜଗନ୍ନାଥଙ୍କ ହାତରେ ବାନ୍ଧିବେ ପାଟ ରାକ୍ଷୀ । ଯାହା ସବୁଠାରୁ ବଡ଼ ରାକ୍ଷୀ । ଶ୍ରୀମନ୍ଦିରରେ ଶ୍ରୀମନ୍ଦିରରେ ଆଜି ବଳଭଦ୍ରଙ୍କ ଜନ୍ମନୀତି ଅନୁଷ୍ଠିତ ହେବ ।
ପାଟରା ବିଶୋୟୀ ସେବକଙ୍କ ପକ୍ଷରୁ ୪ଟି ପାଟ ରାକ୍ଷୀ ସହିତ ୪ଟି ଗୁଆପାଳ ପ୍ରସ୍ତୁତି କରାଯାଇଛି। ଗତ ଆମାବାସ୍ୟା ପରଠାରୁ ଏହି ସ୍ଵତନ୍ତ୍ର ବିଶାଳକାୟ ରାକ୍ଷୀର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପାଟରା ବିଶୋୟୀ ସେବାୟତଙ୍କୁ ବାସୁଙ୍ଗା ପାଟ ଯୋଗାଇ ଦିଆଯାଇଥିଲା। ନାଲି, ନୀଳ, ହଳଦିଆ ଓ ସବୁଜ ରଙ୍ଗରେ ତିଆରି ହୋଇଛି ପାଟ ରାକ୍ଷୀ ।
ଆଜି ବଳଭଦ୍ରଙ୍କ ଜନ୍ମତିଥି ଥିବାରୁ ଏହି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ବିଶେଷ ନୀତିକାନ୍ତି ସମ୍ପନ୍ନ ହେବ । ମଧ୍ୟାହ୍ନ ଧୂପ ପରେ ଦେବୀ ସୁଭଦ୍ରା ନିଜର ଦୁଇ ଭାଇ ଶ୍ରୀ ଜଗନ୍ନାଥ ଓ ଶ୍ରୀ ବଳଭଦ୍ରଙ୍କ ହାତରେ ସ୍ୱତନ୍ତ୍ର ପାଟରାଖୀ ବାନ୍ଧିଥାନ୍ତି । ଏହା ସହିତ ଶ୍ରୀ ସୁଦର୍ଶନ ମହାପ୍ରଭୁ ପାଲିଙ୍କିରେ ବିଜେ ହୋଇ ମାର୍କଣ୍ଡ ପୋଖରୀକୁ ଯାଆନ୍ତି, ଯେଉଁଠାରେ ବଳଭଦ୍ରଙ୍କ ମାଟିର ମୂର୍ତ୍ତି ଗଢ଼ାଯାଇ ଜନ୍ମ ସଂସ୍କାର ବିଧି ଓ ଜଳାଧିବାସ ନୀତି କରାଯାଏ । ଭାଇ-ଭଉଣୀର ପବିତ୍ର ସମ୍ପର୍କର ପ୍ରତୀକ ଏହି ପର୍ବକୁ ନେଇ ଶ୍ରୀମନ୍ଦିରରେ ଭକ୍ତଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଆନନ୍ଦ ଦେଖିବାକୁ ମିଳିଛି।
ପୌରାଣିକ ମାନ୍ୟତା ଅନୁଯାୟୀ, ଭଗବାନ ବିଷ୍ଣୁଙ୍କ ନିର୍ଦ୍ଦେଶରେ ମହାମାୟା ଦେବକୀଙ୍କର ସପ୍ତମ ଗର୍ଭକୁ ଆକର୍ଷଣ କରି ଗୋପପୁରରେ ରହୁଥିବା ବସୁଦେବଙ୍କ ପ୍ରଥମ ପତ୍ନୀ ରୋହିଣୀଙ୍କ ଗର୍ଭରେ ସ୍ଥାପନ କରିଥିଲେ. ଶ୍ରାବଣ ପୂର୍ଣ୍ଣିମା ଦିନ ରୋହିଣୀ ନକ୍ଷତ୍ରରେ ମାତା ରୋହିଣୀଙ୍କ ଗର୍ଭରୁ ବଳରାମ ଜନ୍ମଗ୍ରହଣ କରିଥିଲେ । ସେଥିପାଇଁ ଏହି ଦିନକୁ ବଳଭଦ୍ରଙ୍କ ଜନ୍ମତିଥି ଭାବେ ପାଳନ କରାଯାଏ ।
ଶ୍ରୀ ବଳଭଦ୍ର ହେଉଛନ୍ତି ହଳାୟୁଧ । ବଳଭଦ୍ରଙ୍କ ମୁଖ୍ୟ ଆୟୁଧ ହେଉଛି ଲଙ୍ଗଳ । ସେ କୃଷିର ଦେବତା ହୋଇଥିବାରୁ ଗହ୍ମା ପୂର୍ଣ୍ଣିମା ଦିନ ଗୋମାତା ଓ ବଳଦମାନଙ୍କୁ ସ୍ନାନ କରାଇ ସେମାନଙ୍କ ଶିଙ୍ଘରେ ରାଖୀ ବନ୍ଧାଯାଏ ଏବଂ ମଣ୍ଡା ପିଠା ଆଦି ଭୋଗ ଅର୍ପଣ କରି ପୂଜା କରାଯାଇଥାଏ ।