ଭୁବନେଶ୍ୱର: ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ସମେତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ ଛାତ୍ରଛାତ୍ରୀଙ୍କୁ ନିଶାମୁକ୍ତ ଶପଥ ଦିଆଯାଇଛି। ଏବେ ଏହି କାର୍ଯ୍ୟକ୍ରମର ସମସ୍ତ ତଥ୍ୟ ଆଜି (ଅଗଷ୍ଟ ୨୮) ସୁଦ୍ଧା ପୋର୍ଟାଲରେ ଅପଲୋଡ୍ କରିବାକୁ ଉଚ୍ଚଶିକ୍ଷା ବିଭାଗ ଶେଷ ନିର୍ଦ୍ଦେଶ ଜାରି କରିଛି।
ଯୁବପିଢ଼ିଙ୍କୁ ନିଶାର କୁପ୍ରଭାବରୁ ଦୂରେଇ ରଖିବା ଓ ଶିକ୍ଷାନୁଷ୍ଠାନ ସ୍ତରରୁ ସଚେତନତା ସୃଷ୍ଟି କରିବା ପାଇଁ ବିଭାଗ ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଛି।
ସୂଚନା ଅନୁସାରେ, ଅଗଷ୍ଟ ୧୮ରେ ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନରେ ନିଶାମୁକ୍ତ ଶପଥ ଗ୍ରହଣ କରାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହି ଦିନର କାର୍ଯ୍ୟକ୍ରମର ଫଟୋ ଓ ରିପୋର୍ଟ ବିଭାଗୀୟ ପୋର୍ଟାଲରେ ଅପଲୋଡ୍ କରିବାକୁ ମଧ୍ୟ କୁହାଯାଇଥିଲା।
ତେବେ ଅନେକ କଲେଜ ଓ ବିଶ୍ୱବିଦ୍ୟାଳୟ ଏପର୍ଯ୍ୟନ୍ତ ତଥ୍ୟ ଦାଖଲ କରିନଥିବାରୁ ଅଗଷ୍ଟ ୨୫ରେ ପୁନର୍ବାର ସ୍ମାରକ ନିର୍ଦ୍ଦେଶ ଜାରି ହୋଇଥିଲା। ବର୍ତ୍ତମାନ ଅଗଷ୍ଟ ୨୮କୁ ଶେଷ ସମୟସୀମା ଭାବେ ଧାର୍ଯ୍ୟ କରାଯାଇଛି।
ଉଚ୍ଚଶିକ୍ଷା ବିଭାଗ କହିଛି, ଛାତ୍ରଛାତ୍ରୀଙ୍କ ଶପଥ କେବଳ ଏକ ଔପଚାରିକତା ନୁହେଁ, ବରଂ ନିଶାମୁକ୍ତ ଓଡ଼ିଶା ଗଠନ ଦିଗରେ ଏହା ଏକ ସଚେତନତାମୂଳକ ଓ ସାମାଜିକ ପଦକ୍ଷେପ।