ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ କୋଳଥିଆରେ ଯୁବକଙ୍କ ହତ୍ୟା ପରେ ଆଖି ବୁଝିଛନ୍ତି ଗୁରୁତର ବାପା । ମୃତ କୃଷ୍ଣଚନ୍ଦ୍ର ପାଢ଼ୀଙ୍କ ବାପା ହିମାଂଶୁ ପାଢ଼ୀଙ୍କର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ସେପଟେ ଝିଅ ତାପସୀ ପାଢ଼ୀ ମଧ୍ୟ ଜୀବନ ମରଣ ସହିତ ସଂଗ୍ରାମ କରୁଛନ୍ତି ।
ପୁଣି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ଜଣେ ଯୁବକଙ୍କୁ ଲୁହା ରଡରେ ନିର୍ମମ ଭାବେ ପିଟି ପିଟି ହତ୍ୟା କରାଯାଇଥିବା ଘଟଣା ସହରବାସୀଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି। ହତ୍ୟା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ, ସେମାନଙ୍କୁ ଧରିବା ପାଇଁ ପୋଲିସ ଜୋରଦାର ତଲାସି ଆରମ୍ଭ କରିଛି।
ରବିବାର ରାତିରେ ହିମାଂଶୁ ପାଢ଼ୀ, ପୁଅ କୃଷ୍ଣ ଏବଂ ଝିଅ ଶୋଇଥିଲେ । ବିଳମ୍ବିତ ରାତି ପ୍ରାୟ 2ଟା ସମୟରେ ଦୁଇ ଜଣ ଦୁର୍ବୃତ୍ତ ଆସି କବାଟ ବାଡ଼େଇଥିଲେ । ଏହା ପରେ ସେମାନେ କୃଷ୍ଣଚନ୍ଦ୍ରଙ୍କୁ ଲୁହା ରଡ଼ରେ ପ୍ରବଳ ପିଟିଥିଲେ । ପୁଅକୁ ବଞ୍ଚାଇବାକୁ ଯାଇ ହିମାଂଶୁ ଏବଂ ତାଙ୍କ ଝିଅ ଆକ୍ରମଣର ଶୀକାର ହୋଇଥିଲେ । ଏହା ପରେ ସ୍ଥାନୀୟ ଲୋକେ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ପ୍ରଥମେ କୃଷ୍ଣଚନ୍ଦ୍ର ପାଢୀଙ୍କୁ ମୃତ ଘୋଷଣା କରିଥିଲେ । ପରେ ଆଜି ସକାଳେ ହିମାଂଶୁ ପ୍ରାଣ ହରାଇଛନ୍ତି ।
ପ୍ରଥମେ ଏହା ଜମିବାଡ଼ି ଜନିତ ହତ୍ୟାକାଣ୍ଡ ବୋଲି ପୋଲିସ ଅନୁମାନ କରୁଥିଲା । ମାତ୍ର ପରବର୍ତ୍ତୀ ସମୟରେ ଏହା ଏକ ପ୍ରେମ ଜନିତ ବ୍ୟାପାର ବୋଲି ସନ୍ଦେହ କରାଯାଉଛି । ପୋଲିସ ଜଣେ ଯୁବତୀଙ୍କ ସହିତ ଦୁଇ ଜଣଙ୍କୁ ଅଟକ ରଖିଛି ।