ପୁରୀ: ଆସନ୍ତା ରଥଯାତ୍ରା ପୂର୍ବରୁ ଶେଷ ହେବ ଗୁଣ୍ଡିଚା ମନ୍ଦିର ଉନ୍ନତିକରଣ କାର୍ଯ୍ୟ । ଗୁଣ୍ଡିଚା ମନ୍ଦିରର ସମସ୍ତ ଉନ୍ନତିକରଣ କାର୍ଯ୍ୟର ଅନୁଧ୍ୟାନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ମୁଖ୍ୟ ପ୍ରଶାସକଙ୍କ ସହିତ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ଵରେ ଚାଲିଥିବା ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ଏହାପରେ ଗୁଣ୍ଡିଚା ମନ୍ଦିର ଭିତରକୁ ଯାଇ ସମସ୍ତ କାର୍ଯ୍ୟର ମଧ୍ୟ ଅନୁଧ୍ୟାନ କରିଛନ୍ତି ମୁଖ୍ୟ ପ୍ରଶାସକ।
ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସ୍ଥିତି ଅନୁଧ୍ୟାନ ପରେ କହିଛନ୍ତି ଯେ ଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ଵରେ ଓ ଭିତରେ ଚାଲିଥିବା ଉନ୍ନତିକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଭକ୍ତମାନେ ଏକ ନୂଆ ଅନୁଭୂତି ପାଇବେ। ଗୁଣ୍ଡିଚା ମନ୍ଦିର ଭିତରେ ଟୁଣିଆ ମହଲ, ରୋଷ ଶାଳା, ବଲ୍ଲଭ ଘରକୁ ନୂଆ ରୂପ ମଧ୍ୟ ଦିଆଯାଇଛି। ସେହିପରି ଗୁଣ୍ଡିଚା ମନ୍ଦିର ଉତ୍ତର ଗୁମୁଟର ନବୀକରଣ କାର୍ଯ୍ୟ ଶେଷ ହୋଇଛି। ଆସନ୍ତା ରଥଯାତ୍ରା ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ କରିବା ପାଇଁ ଜୋରଦାର ପ୍ରୟାସ ଚଳାଇଛି ଶ୍ରୀମନ୍ଦିର ପ୍ରଶାସନ।
ସେହିପରି ଗୁଣ୍ଡିଚା ମନ୍ଦିର ନିକଟ ଶରଧାବାଲିର ମଧ୍ୟ ଉନ୍ନତିକରଣ କାର୍ଯ୍ୟ କରାଯାଉଛି। ତେବେ ଗୁଣ୍ଡିଚା ମନ୍ଦିର ଭିତରେ ଓ ବାହାରେ କଳିଙ୍ଗ ସ୍ଥାପତ୍ୟ ଅନୁସାରେ ସମସ୍ତ କାର୍ଯ୍ୟ କରାଯାଉଛି। ପୂର୍ବରୁ ଥିବା ସ୍ଥାପତ୍ୟ ଉପରେ କୌଣସି ପ୍ରଭାବ ପଡ଼ିନାହିଁ। ଆସନ୍ତା ରଥଯାତ୍ରା ପରେ ଗୁଣ୍ଡିଚା ମନ୍ଦିର ସାଧାରଣ ଭକ୍ତଙ୍କ ପାଇଁ ଖୋଲିବ। ଏଥିପାଇଁ ଏକ ଏସଓପି ପ୍ରସ୍ତୁତ କରାଯାଇଛି ।