କୋଲକାତା: ଆଇପିଏଲ୍ ୨୦୨୬ର ୭୦ତମ ମ୍ୟାଚ୍ରେ ଦେଖିବାକୁ ମିଳିଛି ଏକ ହାଇଭୋଲ୍ଟେଜ୍ ଲଢ଼େଇ। ଇଡେନ ଗାର୍ଡେନ୍ସ ଗ୍ରାଉଣ୍ଡରେ ଘରୋଇ କୋଲକାତା ନାଇଟ୍ ରାଇଡର୍ସ (KKR)କୁ ଏକ ରୋମାଞ୍ଚକର ମୁକାବିଲାରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ (DC)। ଏହି ବିଜୟ ସହ ଦିଲ୍ଲୀ ଚଳିତ ସିଜନର ଶେଷ ମ୍ୟାଚ୍କୁ ସ୍ମରଣୀୟ କରିଥିବା ବେଳେ କେକେଆର୍କୁ ସପ୍ତମ ପରାଜୟର ସାମ୍ନା କରିବାକୁ ପଡ଼ିଛି।
ଏହି ମ୍ୟାଚ୍ରେ ଏକ ସଂଯୋଗ ଦେଖିବାକୁ ମିଳିଛି। ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ଆଇପିଏଲ୍ର ପ୍ରଥମ ମ୍ୟାଚ୍ରେ ବିଜୟୀ ହୋଇଥିଲା ଏବଂ ଶେଷ ମ୍ୟାଚ୍ ମଧ୍ୟ ଜିତିଛି। ସେହିପରି କେକେଆର୍ ପ୍ରଥମ ମ୍ୟାଚ୍ରେ ହାରିଥିବା ବେଳେ ଶେଷ ମ୍ୟାଚ୍ରେ ମଧ୍ୟ ପରାଜୟର ସ୍ୱାଦ ଚାଖିଛି। ଅର୍ଥାତ୍ ଦୁଇ ଦଳର ଯାତ୍ରା ଯେମିତି ଆରମ୍ଭ ହୋଇଥିଲା, ଠିକ୍ ସେମିତି ଶେଷ ହୋଇଛି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୨୦୩ ରନ୍ର ଏକ ମଜବୁତ ସ୍କୋର ଛିଡ଼ା କରିଥିଲା। ଦଳ ପକ୍ଷରୁ କେଏଲ୍ ରାହୁଲ ମାତ୍ର ୩୦ ବଲ୍ରେ ୬୦ ରନ୍ର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଅଧିନାୟକ ଅକ୍ଷର ପଟେଲ ମଧ୍ୟ ଦାୟିତ୍ୱବାନ ବ୍ୟାଟିଂ କରି ୩୯ ରନ୍ କରିଥିଲେ। ଶେଷ ଆଡ଼କୁ ଡେଭିଡ୍ ମିଲରଙ୍କ ୨୮ ରନ୍ ଏବଂ ଆଶୁତୋଷ ଶର୍ମାଙ୍କ ଅପରାଜିତ ୧୮ ରନ୍ ବଳରେ ଦିଲ୍ଲୀ ୨୦୦ ପାର୍ କରିଥିଲା। କୋଲକାତା ପକ୍ଷରୁ ସୌରଭ ଦୁବେ ସର୍ବାଧିକ ୨ଟି ୱିକେଟ୍ ନେଇଥିବା ବେଳେ ସୁନୀଲ ନରିନ ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ।
୧୩ ରନ୍ରେ ସୀମିତ ରହିଲା କୋଲକାତାର ଲଢ଼େଇ
୨୦୪ ରନ୍ର ବଡ଼ ଲକ୍ଷ୍ୟକୁ ପିଛା କରି କେକେଆର୍ ଭଲ ଆରମ୍ଭ କରିଥିଲା। ଓପନର ଅଜିଙ୍କ୍ୟ ରହାଣେ ଏବଂ ଫିନ୍ ଆଲେନ୍ ପ୍ରଥମ ୱିକେଟ୍ ପାଇଁ ୪୩ ରନ୍ ଯୋଡ଼ିଥିଲେ। ଆଲେନ୍ ୨୦ ରନ୍ ଓ ମନୀଷ ପାଣ୍ଡେ ୨୫ ରନ୍ କରି ଆଉଟ୍ ହୋଇଥିଲେ। ଅନ୍ୟପଟେ ରହାଣେ ଏକ ପାଖ ସମ୍ଭାଳି ୩୯ ବଲ୍ରେ ୬୩ ରନ୍ର (୪ ଚୌକା, ୪ ଛକା) ଏକ ଦମଦାର ଇନିଂସ ଖେଳିଥିଲେ। ରହାଣେ ଆଉଟ୍ ହେବା ପରେ କେକେଆର୍ର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। କ୍ୟାମେରନ୍ ଗ୍ରୀନ (୨), ରିଙ୍କୁ ସିଂ (୦) ଏବଂ ଅନୁକୂଳ ରାୟ (୯) ସ୍ୱଳ୍ପ ରନ୍ରେ ପାଭିଲିୟନ ଫେରିଥିଲେ। ଫଳରେ କୋଲକାତା ଟିମ୍ ୧୮.୪ ଓଭରରେ ମାତ୍ର ୧୬୩ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା।
କୁଲଦୀପ ଯାଦବଙ୍କ ଘାତକ ବୋଲିଂ, ହ୍ୟାଟ୍ରିକରୁ ବଞ୍ଚିତ
ଦିଲ୍ଲୀର ଏହି ବିଜୟର ହିରୋ ସାଜିଥିଲେ ଚାଇନାମ୍ୟାନ୍ ବୋଲର କୁଲଦୀପ ଯାଦବ। ସେ ୪ ଓଭରରେ ୨୯ ରନ୍ ଦେଇ ୩ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ଚଟକାଇଥିଲେ। ମ୍ୟାଚ୍ରେ କୁଲଦୀପ କ୍ରମାଗତ ଦୁଇଟି ବଲ୍ରେ ଅଜିଙ୍କ୍ୟ ରହାଣେ ଓ ରିଙ୍କୁ ସିଂଙ୍କୁ ଆଉଟ୍ କରି ହ୍ୟାଟ୍ରିକ ନିକଟତର ହୋଇଥିଲେ। ମାତ୍ର ତୃତୀୟ ବଲ୍ରେ କ୍ୟାଚ୍ ମିସ୍ ହେବା କାରଣରୁ ସେ ସିଜନର ପ୍ରଥମ ହ୍ୟାଟ୍ରିକ ନେବାରୁ ବଞ୍ଚିତ ହୋଇଥିଲେ। କୁଲଦୀପଙ୍କ ବ୍ୟତୀତ ଲୁଙ୍ଗି ଏନଗିଡି ୩ଟି ଏବଂ ମିଚେଲ ଷ୍ଟାର୍କ ୨ଟି ୱିକେଟ୍ ଅଖତିଆର କରି ଦିଲ୍ଲୀକୁ ଏକ ସାନଦାର ବିଜୟ ଭେଟି ଦେଇଛନ୍ତି।