ମୁମ୍ବାଇ : ଆଇପିଏଲ୍ ୨୦୨୬ରେ ଶେଷ ହୋଇଛି ପ୍ଲେ-ଅଫ୍ ଦୌଡ଼। ଏକ ରୋମାଞ୍ଚକର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୩୦ ରନରେ ପରାସ୍ତ କରି ଚଳିତ ସିଜନର ଚତୁର୍ଥ ଦଳ ଭାବେ ପ୍ଲେ-ଅଫରେ ପ୍ରବେଶ କରିଛି ରାଜସ୍ଥାନ ରୟାଲ୍ସ। ଜୋଫ୍ରା ଆର୍ଚରଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବଳରେ ଆଇପିଏଲ୍ ଇତିହାସରେ ରାଜସ୍ଥାନ ଦଳ ସପ୍ତମ ଥର ପାଇଁ ପ୍ଲେ-ଅଫ୍ରେ ପ୍ରବେଶ କରିବାର ଉପଲବ୍ଧି ହାସଲ କରିଛି। ଅନ୍ୟପଟେ ରାଜସ୍ଥାନର ଏହି ବିଜୟ ସହ ପଞ୍ଜାବ କିଙ୍ଗସ ଏବଂ କୋଲକାତା ନାଇଟ୍ ରାଇଡର୍ସର ପ୍ଲେ-ଅଫ୍ ଆଶା ମଉଳି ଯାଇଛି। ଏହି ଦୁଇ ଦଳ ଚଳିତ ଟୁର୍ଣ୍ଣାମେଣ୍ଟରୁ ଆନୁଷ୍ଠାନିକ ଭାବେ ବାଦ୍ ପଡ଼ିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ବ୍ୟାଟରଙ୍କ ସାମୂହିକ ବ୍ୟାଟିଂ ବଳରେ ୮ ଓ୍ଵିକେଟ୍ ହରାଇ ୨୦୫ ରନ କରିଥିଲା। ଜବାବରେ ମୁମ୍ବାଇ ୧୭୫ ରନ କରି ପାରିଛି।
ବଡ଼ ଲକ୍ଷ୍ୟର ପିଛା କରୁଥିବା ମୁମ୍ବାଇ ଇଣ୍ଡିଆନ୍ସ ନିୟମିତ ବ୍ୟବଧାନରେ ଉଇକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ରୋହିତ ଶର୍ମା ଖାତା ଖୋଲି ପାରି ନ ଥିଲେ। ରିୟାନ ରିକଲଟନ, ନମନ ଧୀର ଓ ତିଳକ ବର୍ମା ମଧ୍ୟ ନିରାଶ କରିଥିଲେ। ରାଜସ୍ଥାନର ଶୃଙ୍ଖଳିତ ବୋଲିଂ ଆଗରେ ମୁମ୍ବାଇର କୌଣସି ବ୍ୟାଟର ବଡ଼ ଇନିଂସ ଖେଳିବାରେ ସଫଳ ହୋଇନଥିଲେ। ଶେଷରେ ମୁମ୍ବାଇ ଦଳ ନିର୍ଦ୍ଧାରିତ ଓଭରରେ ଲକ୍ଷ୍ୟ ସ୍ଥଳଠାରୁ ୩୦ ରନ୍ ପଛରେ ରହିଯାଇଥିଲା। ସୂର୍ଯ୍ୟକୁମାର ଯାଦବ ୬୦ ରନର ଇନିଂସ ଖେଳିଥିବା ବେଳେ ଓ୍ଵିଲ ଜ୍ୟାକ୍ସ ୩୩ ରନ ଓ ହାର୍ଦ୍ଦିକ ପାଣ୍ଡ୍ୟା ୩୦ ରନ କରିଥିଲେ। ହେଲେ ଦଳ ବିଜୟଠୁ ପଛରେ ରହି ଯାଇଥିଲା।
୭ମ ଥର ପ୍ଲେ-ଅଫରେ ରାଜସ୍ଥାନ
ଏହି ଗୁରୁତ୍ଵପୂର୍ଣ୍ଣ ବିଜୟ ସହ ରାଜସ୍ଥାନ ରୟାଲ୍ସ ପଏଣ୍ଟ ଟେବୁଲରେ ନିଜର ସ୍ଥିତି ମଜବୁତ କରି ଶେଷ ଚାରିରେ ନିଜ ସ୍ଥାନ ପକ୍କା କରିଛି। ଆଇପିଏଲ୍ ଆରମ୍ଭରୁ ଏପର୍ଯ୍ୟନ୍ତ ଦଳ ସମୁଦାୟ ୭ମ ଥର ପାଇଁ ପ୍ଲେ-ଅଫ୍କୁ ଯୋଗ୍ୟତା ଅର୍ଜନ କରିଛି, ଯାହା ଦଳର ନିରନ୍ତର ପ୍ରଦର୍ଶନକୁ ଦର୍ଶାଉଛି।
ପଞ୍ଜାବ ଓ କୋଲକାତା ଆଉଟ୍
ରାଜସ୍ଥାନ ପ୍ଲେ-ଅଫ୍ରେ ପହଞ୍ଚିବା ପରେ ପୂର୍ବରୁ ପ୍ଲେ-ଅଫ୍ ଦୌଡ଼ରେ ଥିବା ପଞ୍ଜାବ କିଙ୍ଗସ ଓ କୋଲକାତା ନାଇଟ୍ ରାଇଡର୍ସର ସମସ୍ତ ସମ୍ଭାବନା ଶେଷ ହୋଇଯାଇଛି। ଆଗକୁ ମ୍ୟାଚ୍ ବାକି ଥିଲେ ମଧ୍ୟ ରନ୍ ରେଟ୍ ଏବଂ ପଏଣ୍ଟ ଆଧାରରେ ଏହି ଦୁଇ ଦଳ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି। ରାଜସ୍ଥାନର ଏହି ବିଜୟ ପରେ ଏବେ ଆଇପିଏଲ୍ ୨୦୨୬ର ପ୍ଲେ-ଅଫ୍ ଲଢ଼େଇ ଆହୁରି ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି।