ନୂଆଦିଲ୍ଲୀ: ଉତ୍କଣ୍ଠାର ଅନ୍ତ ଘଟିଛି। ଆଇପିଏଲ୍ ୨୦୨୬ (IPL 2026) ର ପ୍ଲେ-ଅଫ୍ ସମୀକରଣ ସ୍ପଷ୍ଟ ହୋଇଯାଇଛି। ରିୟାନ ପରାଗଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସ ଚତୁର୍ଥ ଦଳ ଭାବେ ଶେଷ ଚାରିରେ ପ୍ରବେଶ କରିବା ପରେ ପ୍ଲେ-ଅଫ୍ ଲଢ଼େଇର ସମ୍ପୂର୍ଣ୍ଣ ସୂଚୀ ପ୍ରସ୍ତୁତ ହୋଇଛି। ଚଳିତ ସିଜନରେ ପ୍ରଥମେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପ୍ଲେ-ଅଫ୍ ଟିକେଟ୍ ହାସଲ କରିଥିଲା। ଏହାପରେ ସନରାଇଜର୍ସ ହାଇଦ୍ରାବାଦ (SRH) ଏବଂ ଗୁଜରାଟ ଟାଇଟନ୍ସ (GT) ନିଜ ସ୍ଥାନ ପକ୍କା କରିଥିଲେ। ଏବେ ଚାରି ଦଳ ମଧ୍ୟରେ ଟ୍ରଫି ପାଇଁ ଅସଲ ଯୁଦ୍ଧ ଆରମ୍ଭ ହେବ। ତେବେ ପ୍ଲେ-ଅଫ୍ରେ କେଉଁ ଦଳ କାହା ସହିତ ମୁକାବିଲା କରିବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ସମୀକରଣ...
କ୍ଵାଲିଫାୟର୍-୧: ଆରସିବି ବନାମ ଗୁଜରାଟ ଟାଇଟନ୍ସ
ପଏଣ୍ଟ ଟେବୁଲର ଶୀର୍ଷ ଦୁଇଟି ସ୍ଥାନରେ ଥିବା ଦଳମାନଙ୍କ ମଧ୍ୟରେ 'କ୍ୱାଲିଫାୟର୍-୧' ମ୍ୟାଚ୍ ଖେଳାଯାଏ। ଚଳିତ ସିଜନରେ ଆରସିବି ପ୍ରଥମ ଏବଂ ଗୁଜରାଟ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତେଣୁ ଏହି ଦୁଇ ଦଳ ମଧ୍ୟରେ ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ ଆସନ୍ତା ମେ ୨୬ (ମଙ୍ଗଳବାର) ଦିନ ଧର୍ମଶାଳା କ୍ରିକେଟ ଷ୍ଟାଡିୟମରେ ଖେଳାଯିବ।
ଏଲିମିନେଟର୍: ହାଇଦ୍ରାବାଦ ବନାମ ରାଜସ୍ଥାନ ରୟାଲ୍ସ
ପଏଣ୍ଟ ଟେବୁଲର ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ଶେଷ କରିଥିବା ଦଳ ମଧ୍ୟରେ 'ଏଲିମିନେଟର୍' ମ୍ୟାଚ୍ ହୋଇଥାଏ। ସନରାଇଜର୍ସ ହାଇଦ୍ରାବାଦ (ତୃତୀୟ) ଏବଂ ରାଜସ୍ଥାନ ରୟାଲ୍ସ (ଚତୁର୍ଥ) ମଧ୍ୟରେ ଏହି ହାଇଭୋଲଟେଜ୍ ମ୍ୟାଚ୍ ମେ ୨୭ ଦିନ ନ୍ୟୁ ଚଣ୍ଡୀଗଡ଼ର ମହାରାଜା ଯାଦବେନ୍ଦ୍ର ସିଂ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ।
ଶୀର୍ଷ ଦୁଇ ଦଳକୁ ମିଳିବ ୨ଟି ସୁଯୋଗ, ଏଲିମିନେଟର୍ ହାରିଲେ ବିଦାୟ
ଆଇପିଏଲ୍ ନିୟମ ଅନୁଯାୟୀ, ଟେବୁଲର ଟପ୍-୨ରେ ରହି ପ୍ଲେ-ଅଫ୍ ଯାଇଥିବା ଆରସିବି ଓ ଗୁଜରାଟ ପାଖରେ ଫାଇନାଲ୍ରେ ପହଞ୍ଚିବା ପାଇଁ ଦୁଇଟି ସୁଯୋଗ ରହିବ। କ୍ୱାଲିଫାୟର୍-୧ରେ ଜିତିବା ଦଳ ସିଧାସଳଖ ଫାଇନାଲ୍ ଟିକେଟ୍ ପାଇବ। ଅନ୍ୟପଟେ ହାରିଯିବା ଦଳକୁ କ୍ୱାଲିଫାୟର୍-୨ ଖେଳିବାକୁ ଆଉ ଏକ ସୁଯୋଗ ମିଳିବ।
କିନ୍ତୁ ଏଲିମିନେଟର୍ ମ୍ୟାଚ୍ରେ ଯେଉଁ ଦଳ ହାରିବ, ସେହି ଦଳ ଟୁର୍ଣ୍ଣାମେଣ୍ଟରୁ ସିଧାସଳଖ ବାଦ୍ ପଡ଼ିବ। ଏଲିମିନେଟର୍ର ବିଜେତା ଦଳ କ୍ୱାଲିଫାୟର୍-୧ର ପରାଜିତ ଦଳ ସହିତ 'କ୍ୱାଲିଫାୟର୍-୨'ରେ ମୁହାଁମୁହିଁ ହେବେ। ଏହି କ୍ୱାଲିଫାୟର୍-୨ ମ୍ୟାଚ୍ ମେ ୨୯ରେ ନ୍ୟୁ ଚଣ୍ଡୀଗଡ଼ ମୈଦାନରେ ହିଁ ଖେଳାଯିବ। ଏଠାରେ ଯିଏ ଜିତିବ, ସେ ଦ୍ୱିତୀୟ ଫାଇନାଲିଷ୍ଟ ଭାବେ ଟ୍ରଫି ଲଢ଼େଇରେ ସାମିଲ ହେବ। ଏଭଳି ସ୍ଥିତିରେ ଚଳିତ ବର୍ଷ କିଏ ଆଇପିଏଲ୍ ଚାମ୍ପିୟନ ହେଉଛି, ତାହା ଦେଖିବା ବେଶ୍ ରୋମାଞ୍ଚକର ହେବ।