ଲକ୍ଷ୍ନୌ: ଆଇପିଏଲ୍ ୨୦୨୬ର ଏକ ସଂଘର୍ଷପୂର୍ଣ୍ଣ ଓ 'କର ବା ମର' ମୁକାବିଲାରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୭ ୱିକେଟରେ ପରାସ୍ତ କରିଛି ପଞ୍ଜାବ କିଙ୍ଗସ। ଅଧିନାୟକ ଶ୍ରେୟସ ଆୟର ନିଜ ଆଇପିଏଲ୍ କ୍ୟାରିୟରର ପ୍ରଥମ ଶତକ ହାସଲ କରିବା ସହ ପଞ୍ଜାବକୁ ଏକ ସ୍ମରଣୀୟ ବିଜୟ ଭେଟି ଦେଇଛନ୍ତି। ଏହି ଗୁରୁତ୍ଵପୂର୍ଣ୍ଣ ବିଜୟ ସହ ପଞ୍ଜାବର ପ୍ଲେ-ଅଫ୍ ଆଶା ଉଜ୍ଜିବୀତ ରହିଛି। ସମସ୍ତ ୧୪ଟି ଲିଗ୍ ମ୍ୟାଚ୍ ପରେ ପଞ୍ଜାବ ଖାତାରେ ଏବେ ୧୫ ପଏଣ୍ଟ ରହିଛି ଏବଂ ଦଳର ଭାଗ୍ୟ ରବିବାର ଖେଳାଯିବାକୁ ଥିବା ରାଜସ୍ଥାନ ବନାମ ମୁମ୍ବାଇ ମ୍ୟାଚ୍ ଉପରେ ନିର୍ଭର କରେ।
ଶ୍ରେୟସଙ୍କ ବିଜୟୀ ଛକ୍କା ସହ ଶତକ
ଲକ୍ଷ୍ନୌର ଇକାନା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୧୯୬ ରନ୍ର ଏକ ବଡ଼ ସ୍କୋର ଛିଡ଼ା କରିଥିଲା। ଜବାବରେ ପଞ୍ଜାବ କିଙ୍ଗସ ମାତ୍ର ୧୮ ଓଭରରେ ୩ ୱିକେଟ୍ ହରାଇ ଏହି ବିରାଟ ଲକ୍ଷ୍ୟକୁ ହାସଲ କରିନେଇଥିଲା। ଅଧିନାୟକ ଶ୍ରେୟସ ଆୟର ମ୍ୟାଚ୍ ୱିନିଂ ସଟ୍ ଭାବେ ଏକ ଚମତ୍କାର ଛକ୍କା ମାରି ଦଳକୁ ଜିତାଇବା ସହ ମାତ୍ର ୫୧ ବଲରେ ନିଜର ପ୍ରଥମ ଆଇପିଏଲ ଶତକ ପୂରଣ କରିଥିଲେ।
ପଞ୍ଜାବର ପ୍ଲେ-ଅଫ୍ ସମୀକରଣ
ଏହି ବିଜୟ ପରେ ପଞ୍ଜାବର ନେଟ୍ ରନ୍ ରେଟ୍ (NRR) +0.309 କୁ ବୃଦ୍ଧି ପାଇଛି। କିନ୍ତୁ ପ୍ଲେ-ଅଫ୍ ଟିକେଟ୍ ପାଇବା ପାଇଁ ପଞ୍ଜାବକୁ ଏବେ ଅନ୍ୟ ମ୍ୟାଚର ଫଳାଫଳ ଉପରେ ଚାହିଁ ରହିବାକୁ ହେବ। ପ୍ରଥମ ସମୀକରଣ ଅନୁଯାୟୀ, ମୁମ୍ବାଇ ଇଣ୍ଡିଆନ୍ସ ହାତରୁ ରାଜସ୍ଥାନ ରୟାଲ୍ସ ହାରିବା ଆବଶ୍ୟକ। କେକେଆର ମ୍ୟାଚ୍ ଉପରେ ନଜର, ଯଦି କୋଲକାତା ନାଇଟ୍ ରାଇଡର୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଏ, ତେବେ ସେହି ବିଜୟ ଯେପରି ବଡ଼ ବ୍ୟବଧାନରେ ନହୁଏ, ସେଥିପାଇଁ ପଞ୍ଜାବକୁ ପ୍ରାର୍ଥନା କରିବାକୁ ହେବ।
୧୨ ବର୍ଷର ଅପେକ୍ଷା ପରେ ଶ୍ରେୟସଙ୍କ ମାଇଲଖୁଣ୍ଟ
ଶ୍ରେୟସ ଆୟର ନିଜର ୧୨ ବର୍ଷର ଆଇପିଏଲ କ୍ୟାରିୟରରେ ପ୍ରଥମ ଥର ପାଇଁ ଶତକୀୟ ପାଳି ଖେଳିଛନ୍ତି। ଏହା ପୂର୍ବରୁ ସେ ଆଇପିଏଲ୍ରେ ୩୨ଟି ଅର୍ଦ୍ଧଶତକ ହାସଲ କରିଥିଲେ। ଲକ୍ଷ୍ନୌ ବିପକ୍ଷରେ ସେ ୫୧ ବଲ୍ରୁ ୧୦୧ ରନ୍ର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ, ଯେଉଁଥିରେ ୧୧ଟି ଚୌକା ଓ ୫ଟି ଗଗନଚୁମ୍ବୀ ଛକ୍କା ସାମିଲ ଥିଲା।
ପ୍ରଭସିମରନ ଓ ଶ୍ରେୟସଙ୍କ ମଧ୍ୟରେ ପାର୍ଟନରସିପ୍
ପଞ୍ଜାବର ଏହି ବିଜୟରେ ଓପନର ପ୍ରଭସିମରନ ସିଂହ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ମାତ୍ର ୨୨ ରନ୍ରେ ଦଳ ୨ଟି ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିବା ବେଳେ ପ୍ରଭସିମରନ ୩୯ ବଲ୍ରୁ ୬୯ ରନ୍ର ଏକ ଦମଦାର ପାଳି ଖେଳିଥିଲେ। ସେ ଅଧିନାୟକ ଶ୍ରେୟସଙ୍କ ସହ ମିଶି ତୃତୀୟ ୱିକେଟ୍ ପାଇଁ ୧୪୦ ରନ୍ର ଏକ ମ୍ୟାଚ୍ ବିଜୟୀ ଭାଗିଦାରୀ ସ୍ଥାପନ କରି ପଞ୍ଜାବକୁ ମ୍ୟାଚ୍କୁ ଫେରାଇ ଆଣିଥିଲେ।