ନୂଆଦିଲ୍ଲୀ: ଦେଶର ବହୁଚର୍ଚ୍ଚିତ ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସର୍ବୋଚ୍ଚ ଅଦାଲତ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟ ଏହି ହାଇ-ପ୍ରୋଫାଇଲ ମାମଲାରେ ନିଜ ଆଡ଼ୁ ହସ୍ତକ୍ଷେପ କରିଛନ୍ତି। ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ସ୍ୱତନ୍ତ୍ର ଖଣ୍ଡପୀଠ ଆସନ୍ତା ସୋମବାର ଅର୍ଥାତ୍ ୨୫ ମେ’ରେ ଏହି ମାମଲାର ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିବେ। ଏହି ତିନି ଜଣିଆ ଖଣ୍ଡପୀଠରେ ସିଜେଆଇଙ୍କ ସମେତ ଜଷ୍ଟିସ ଜୟମାଲ୍ୟ ବାଗ୍ଚି ଏବଂ ଜଷ୍ଟିସ ବିପୁଲ ଏମ୍. ପଞ୍ଚୋଲି ସାମିଲ ଅଛନ୍ତି।
ସିଜେଆଇ କାହିଁକି କଲେ ହସ୍ତକ୍ଷେପ ?
ମଧ୍ୟପ୍ରଦେଶରେ ଘଟିଥିବା ଟ୍ୱିଶା ଶର୍ମାଙ୍କ ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟାକୁ ନେଇ କ୍ରମାଗତ ଭାବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଥିଲା। ନ୍ୟାୟପାଳିକାର ହସ୍ତକ୍ଷେପ ଯୋଗୁଁ ଏହି ହତ୍ୟାକାଣ୍ଡ ବା ମୃତ୍ୟୁର ସଠିକ୍ ତଦନ୍ତ ହୋଇପାରୁ ନାହିଁ ବୋଲି ଗୁରୁତର ଅଭିଯୋଗ ମଧ୍ୟ ଆସିଥିଲା।
ଏଭଳି ସମ୍ବେଦନଶୀଳ ଅଭିଯୋଗ କାରଣରୁ ନ୍ୟାୟପାଳିକାର ଭାବମୂର୍ତ୍ତି କ୍ଷୂର୍ଣ୍ଣ ହେଉଥିବା ପ୍ରଧାନ ବିଚାରପତି ଅନୁଭବ କରିଛନ୍ତି। ମାମଲାର ସତ୍ୟାସତ୍ୟ ସାମ୍ନାକୁ ଆଣିବା ପାଇଁ ଏକ ନିରପେକ୍ଷ ସଂସ୍ଥା ଦ୍ଵାରା ନିରପେକ୍ଷ ତଦନ୍ତ ହେବା ଜରୁରୀ। ଏଥିପାଇଁ ସିଜେଆଇ ରେଜିଷ୍ଟ୍ରିକୁ ଏହି ମାମଲାକୁ ସ୍ଵତଃ ପ୍ରବୃତ୍ତ ଭାବେ ଦାୟର କରି ସୋମବାର ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏମ୍ସ ଦିଲ୍ଲୀର ଟିମ୍ କରିବ ଦ୍ୱିତୀୟ ପୋଷ୍ଟମର୍ଟମ
ଅନ୍ୟପଟେ ଏହି ମାମଲାରେ ଆଉ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀ ଏମ୍ସ (AIIMS) ର ଚାରି ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ଟ୍ଵିଶା ଶର୍ମାଙ୍କର ଦ୍ଵିତୀୟ ପୋଷ୍ଟମର୍ଟମ କରିବେ। ଏହି ସ୍ଵତନ୍ତ୍ର ଡାକ୍ତରୀ ଦଳ ଏକ ଚାର୍ଟାର୍ଡ ବିମାନ ଯୋଗେ ଭୋପାଳ ଅଭିମୁଖେ ଯାତ୍ରା କରିଛନ୍ତି।
ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ଏମ୍ସ ଦିଲ୍ଲୀର ନିର୍ଦ୍ଦେଶକ ଏକ ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଗଠନ କରିଥିଲେ। ମଧ୍ୟପ୍ରଦେଶ ସରକାରଙ୍କ ପକ୍ଷରୁ କରାଯାଇଥିବା ଅନୁରୋଧ ଏବଂ କୋର୍ଟଙ୍କ ଆଦେଶନାମା ମିଳିବା ପରେ ରବିବାର ସକାଳୁ ଏହି ପ୍ରକ୍ରିୟାକୁ ତ୍ଵରାନ୍ଵିତ କରାଯାଇଛି। ଦ୍ଵିତୀୟ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଏହି ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି।