ଧାମ ବୁଲିବା ପରିବାର ପାଇଁ ସାଜିଲା କାଳ। ଯାତ୍ରା ସମୟରେ ଗିରିଖାତକୁ କାର୍ ଖସିପଡ଼ିବାରୁ ଶେଷ ହୋଇଗଲା ପୂରା ପରିବାର । ଉତ୍ତରାଖଣ୍ଡର କଞ୍ଚି ଧାମ ଯାତ୍ରା ସମୟରେ ଘଟିଛି ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଯେଉଁଥିରେ ଗୋଟିଏ ପରିବାରର ୪ ସଦସ୍ୟଙ୍କ ସମେତ ୫ ଜଣଙ୍କ ଜୀବନ ଚାଲିଯାଇଛି। ମୃତକମାନେ ହେଲେ ଭୁପେନ୍ଦ୍ର ସିଂ ଚୁଫାଲ, ସ୍ତ୍ରୀ କାଇଦା ଚୁଫାଲ, ସେମାନଙ୍କ ଦୁଇ ପୁଅ ୧୯ ବର୍ଷୀୟ ବାସୁ ଓ ୧୨ ବର୍ଷୀୟ ରବି ଏବଂ କାର୍ ଡ୍ରାଇଭର ଅନୁଜ କୁମାର ମିଶ୍ର ।
ସୂଚନା ଅନୁସାରେ, ଭୁପେନ୍ଦ୍ର ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ଏକ ମେଡିକାଲ କମ୍ପାନୀରେ ଉଚ୍ଚ ପଦବୀରେ କାର୍ୟ୍ୟରତ ଥିଲେ। ସେ ସପରିବାର ନିଜ କାରରେ ଗତ ଗୁରୁବାର କଞ୍ଚି ଧାମ ଯାତ୍ରାରେ ବାହାରିଥିଲେ । ତେବେ ନୈନିତାଲ ଜିଲାରେ ସେମାନଙ୍କ କାର ୫୦୦ ମିଟର ଗଭୀର ଗିରିଖାତକୁ ଖସିପଡ଼ିଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ସମସ୍ତଙ୍କ ମୃତ୍ୟୁ ଘଟିଥିଲା।
ନୈନିତାଲ ଏସପି ମଞ୍ଜୁନାଥ ଟିସିଙ୍କ ସୂଚନା ଅନୁଯାୟୀ, ସାନାଟୋରିଅମ-ରତିଘାଟ ବାଇପାସ ରାସ୍ତାର ଧଇଳା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । କାରଟି ଘାଟି ରାସ୍ତା ଚଢ଼ୁଥିବା ସମୟରେ ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଥିଲା । ଖବର ପାଇ ପୋଲିସ ଏବଂ ଏସଡିଆରଏଫ ଟିମ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।
ଭୁପେନ୍ଦ୍ରଙ୍କ ଘର ଉତ୍ତରାଖଣ୍ଡର ଖାତିମା ଅଞ୍ଚଳରେ ହୋଇଥିବାବେଳେ ସେ ଲକ୍ଷ୍ନୌସ୍ଥିତ ଏକ ମେଡିକାଲ ଉପକରଣ ମାନୁଫାକଚରିଂ କମ୍ପାନୀରେ କାର୍ୟ୍ୟ କରୁଥିଲେ ।
ଭୁପେନ୍ଦ୍ର ଲକ୍ଷ୍ନୌର କ୍ରିଷ୍ଣାନଗର ଅଞ୍ଚଳରେ ରହୁଥିବାବେଳେ ତାଙ୍କ ସ୍ତ୍ରୀ ଏବଂ ଦୁଇ ସନ୍ତାନ ଦିଲ୍ଲୀରେ ରହୁଥିଲେ। କିନ୍ତୁ ଛୁଟି ସମୟରେ ପୂରା ପରିବାର ବିଭିନ୍ନ ଧାମ ବୁଲିବାକୁ ଯାଉଥିଲେ । ନିକଟରେ ସେମାନେ ପୁରୀ ମଧ୍ୟ ଆସିଥିବା ସୂଚନା ମିଳିଛି ।