ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (AAP) ଛାଡ଼ି ଭାରତୀୟ ଜନତା ପାର୍ଟି (BJP)ରେ ସାମିଲ ହୋଇଥିବା ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କ ସଂସଦୀୟ କ୍ଷମତା ଆହୁରି ବୃଦ୍ଧି ପାଇଛି। ଦଳ ବଦଳାଇବାର ମାତ୍ର କିଛି ଦିନ ମଧ୍ୟରେ ତାଙ୍କୁ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଛି। ଶନିବାର ତାଙ୍କୁ ରାଜ୍ୟସଭାର ଶୀର୍ଷ ସଂସଦୀୟ କମିଟି 'ଯାଚିକା ସମିତି' (Committee on Petitions) ର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।
ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକୃଷ୍ଣନ ଏହି ଯାଚିକା ସମିତିର ପୁନର୍ଗଠନ କରିବା ସହ ସଦନର ୧୦ ଜଣ ସାଂସଦଙ୍କୁ ଏଥିପାଇଁ ମନୋନୀତ କରିଛନ୍ତି। ରାଜ୍ୟସଭାର ସରକାରୀ ବିଜ୍ଞପ୍ତି ଅନୁଯାୟୀ, ରାଘବ ଚଢ଼ାଙ୍କୁ ଏହି କମିଟିର ମୁଖ୍ୟ କରାଯାଇଛି ଏବଂ ଏହି ନିଷ୍ପତ୍ତି ମେ' ୨୦ ତାରିଖରୁ ଲାଗୁ ହୋଇସାରିଛି।
କମିଟିରେ ସାମିଲ ହେଲେ ଓଡ଼ିଶାର ସାଂସଦ
ଏହି ହାଇ-ପ୍ରୋଫାଇଲ୍ ସମିତିରେ ରାଘବ ଚଢ଼ାଙ୍କ ବ୍ୟତୀତ ଅନ୍ୟ ୯ ଜଣ ସାଂସଦଙ୍କୁ ସ୍ଥାନ ମିଳିଛି। ବିଶେଷ କଥା ହେଉଛି, ଏଥିରେ ଓଡ଼ିଶାର ସାଂସଦଙ୍କୁ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ମିଳିଛି। କମିଟିରେ ସାମିଲ ଥିବା ଅନ୍ୟ ସଦସ୍ୟମାନେ ହେଲେହର୍ଷ ମହାଜନ, ଗୁଲାମ ଅଲୀ, ଶମ୍ଭୁ ଶରଣ ପଟେଲ, ମୟଙ୍କ କୁମାର ନାୟକ, ମସ୍ତାନ ରାଓ ଯାଦବ ବିଡା, ଜେବି ମାଥେର ହିଶାମ, ଓଡ଼ିଶାର ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ରବଙ୍ଗୱରା ନାରଜାରୀ ଏବଂ ସନ୍ଦୋଷ କୁମାର ପି.।
କ’ଣ କାମ କରେ ରାଜ୍ୟସଭାର ଯାଚିକା ସମିତି’?
ରାଜ୍ୟସଭାର ଯାଚିକା ସମିତି (Committee on Petitions) ର ମୂଳ କାମ ହେଉଛି ସଦନ ସମ୍ମୁଖରେ ଉପସ୍ଥାପିତ ହେଉଥିବା ବିଭିନ୍ନ ଆବେଦନ ଓ ଯାଚିକାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବା। ଏହା ବ୍ୟତୀତ ସରକାର କିମ୍ବା କାର୍ଯ୍ୟପାଳିକାର କାର୍ଯ୍ୟଶୈଳୀକୁ ନେଇ ଜନସାଧାରଣଙ୍କ ଥିବା ବିଶେଷ ଅଭିଯୋଗ କିମ୍ବା ସାଧାରଣ ଗୁରୁତ୍ଵ ବହନ କରୁଥିବା ମାମଲାର ମଧ୍ୟ ଏହି କମିଟି ସମୀକ୍ଷା କରେ। ସଂସଦରେ ଏହି ସମିତିର ଭୂମିକା ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ।