ଧର୍ମଶାଳା: ଆଇପିଏଲ୍ ୨୦୨୬ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମଙ୍ଗଳବାର ଖେଳାଯିବାକୁ ଥିବା ପ୍ରଥମ କ୍ୱାଲିଫାୟର୍ ମୁକାବିଲାରେ ମୁହାଁମୁହିଁ ହେବେ ଦୁଇ ଶକ୍ତିଶାଳୀ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଏବଂ ଗୁଜରାଟ ଟାଇଟନ୍ସ (GT)। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମରେ ଏହି ହାଇଭୋଲ୍ଟେଜ୍ ମ୍ୟାଚ୍ ଖେଳାଯିବ। ଯେଉଁ ଦଳ ଆଜି ଜିତିବ, ସେ ସିଧାସଳଖ ଫାଇନାଲ୍ ଟିକେଟ୍ ହାତେଇବ। ତେଣୁ ଉଭୟ ଦଳ ମଧ୍ୟରେ ଏକ କଡ଼ା ଟକ୍କର ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।
ଆଇପିଏଲ୍ ଇତିହାସରେ ଆରସିବି ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ସର୍ବଦା କଡ଼ା ସଂଘର୍ଷ ଦେଖିବାକୁ ମିଳିଛି। ପରିସଂଖ୍ୟାନ ଉପରେ ନଜର ପକାଇଲେ ଉଭୟ ଦଳ ଏପର୍ଯ୍ୟନ୍ତ ସମାନ ସ୍ଥିତିରେ ରହିଛନ୍ତି। ଦୁଇ ଦଳ ମଧ୍ୟରେ ଏପର୍ଯ୍ୟନ୍ତ ମୋଟ ୮ଟି ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିମଧ୍ୟରୁ ଆରସିବି ୪ଟି ମ୍ୟାଚ୍ ଜିତିଛି ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟ ୪ଟି ମ୍ୟାଚ୍ରେ ବାଜିମାତ କରିଛି। ଚଳିତ ସିଜିନରେ ମଧ୍ୟ ଉଭୟଙ୍କ ମଧ୍ୟରେ ସମାନ ଟକ୍କର ହୋଇଛି। ପ୍ରଥମ ମ୍ୟାଚ୍ରେ ଆରସିବି ୫ ୱିକେଟ୍ରେ ଗୁଜରାଟକୁ ପରାସ୍ତ କରିଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ଗୁଜରାଟ ୪ ୱିକେଟ୍ରେ ଆରସିବିକୁ ହରାଇ ମଧୁର ପ୍ରତିଶୋଧ ନେଇଥିଲା।
ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ ଖେଳିବା ମାମଲାରେ ଆରସିବିର ଟ୍ରାକ୍ ରେକର୍ଡ ବେଶ୍ ଆକର୍ଷଣୀୟ ରହିଛି। ଦଳ ଏହା ପୂର୍ବରୁ ୩ ଥର ପ୍ରଥମ କ୍ୱାଲିଫାୟର୍ ଖେଳିସାରିଛି, ଯେଉଁଥିରୁ ୨ଟିରେ ବିଜୟ ଓ ଗୋଟିଏରେ ପରାଜୟର ସାମ୍ନା କରିଛି। ଗତ ସିଜିନ ଅର୍ଥାତ ଆଇପିଏଲ୍ ୨୦୨୫ର ପ୍ରଥମ କ୍ୱାଲିଫାୟର୍ରେ ବେଙ୍ଗାଲୁରୁ ଚମତ୍କାର ପ୍ରଦର୍ଶନ କରି ପଞ୍ଚାୟ କିଙ୍ଗସକୁ ଧୂଳି ଚଟାଇ ଫାଇନାଲରେ ପ୍ରବେଶ କରିଥିଲା। ଏହା ପୂର୍ବରୁ ୨୦୧ ମସିହାରେ ଆରସିବି ଗୁଜରାଟ ଲାୟନ୍ସକୁ ହରାଇ ଫାଇନାଲ୍ ଖେଳିଥିଲା, କିନ୍ତୁ ୨୦୧୧ରେ ଚେନ୍ନାଇ ସୁପର କିଙ୍ଗସ ନିକଟରୁ ଦଳକୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଥିଲା।
ଅପରପକ୍ଷରେ, ଗୁଜରାଟ ଟାଇଟନ୍ସ ପୂର୍ବରୁ ଦୁଇଥର ପ୍ରଥମ କ୍ୱାଲିଫାୟର୍ ଖେଳିବାର ସୁଯୋଗ ପାଇଛି ଏବଂ ଏଥିରେ ଦଳର ସ୍ଥିତି ମିଶ୍ରିତ ରହିଛି। ସାଲ ୨୦୨୨ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଗୁଜରାଟ ପ୍ରଥମ କ୍ୱାଲିଫାୟର୍ରେ ରାଜସ୍ଥାନ ରୟାଲ୍ସକୁ ୭ ୱିକେଟ୍ରେ ସହଜରେ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲା ଏବଂ ପରେ ଚାମ୍ପିଅନ୍ ମଧ୍ୟ ହୋଇଥିଲା। ତେବେ ୨୦୨୩ ସିଜିନରେ ଦଳକୁ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ପ୍ରଥମ କ୍ୱାଲିଫାୟର୍ରେ ହାରିବାକୁ ପଡ଼ିଥିଲା। ଧର୍ମଶାଳାର ପିଚ୍ ଏବଂ ପାଣିପାଗ ସହିତ ଦୁଇ ଦଳର ସାମ୍ପ୍ରତିକ ଫର୍ମକୁ ଦେଖିଲେ ଆଜିର ମ୍ୟାଚ୍ ବେଶ ରୋମାଞ୍ଚକର ହେବାକୁ ଯାଉଛି।