ପୁରୀ: ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ବିଧାୟକ ତଥା ମମତା ସରକାରଙ୍କ ଜଣେ ପୂର୍ବତନ ମନ୍ତ୍ରୀଙ୍କୁ ପୁରୀରୁ ଗିରଫ କରିଛି ଏସଟିଏଫ। ମନି ଲଣ୍ଡରିଂ ମାମଲାରେ ତାଙ୍କୁ ପଶ୍ଚିମବଙ୍ଗରୁ ପିଛା କରି ପୁରୀରେ ପହଞ୍ଚିଥିଲା ଏସଟିଏଫ। ସେ ପୁରୀର ଏକ ହୋଟେଲରେ ଥିବା ବେଳେ ସେଠାରୁ ତାଙ୍କୁ ଗିରଫ କରାଯାଇଛି। ଗିରଫ ପରେ ତାଙ୍କୁ ପଶ୍ଚିମବଙ୍ଗ ନେଇଛି STF।
ସୂଚନା ଅନୁଯାୟୀ, ଦୀର୍ଘ ଦିନ ଧରି ଫେରାର ଥିବା ଦିଲ୍ଲୀପଙ୍କ ଗତିବିଧି ଉପରେ STF ନଜର ରଖିଥିଲା। ପଶ୍ଚିମବଙ୍ଗରୁ ତାଙ୍କୁ ପିଛା କରି ଅଧିକାରୀମାନେ ପୁରୀରେ ପହଞ୍ଚିଥିଲେ। ଶେଷରେ ସେ ଏକ ହୋଟେଲରେ ରହୁଥିବା ଖବର ପାଇ ଚଢ଼ାଉ କରାଯାଇଥିଲା ଏବଂ ତାଙ୍କୁ କାବୁ କରାଯାଇଥିଲା। ଗିରଫ ପରେ କଡ଼ା ସୁରକ୍ଷା ମଧ୍ୟରେ ତାଙ୍କୁ ପଶ୍ଚିମବଙ୍ଗକୁ ନିଆଯାଇଛି।
ଦିଲ୍ଲୀପ ମଣ୍ଡଳଙ୍କ ନାମ ପୂର୍ବରୁ ମଧ୍ୟ ବିବାଦରେ ରହିଆସିଛି। ନିର୍ବାଚନ ସମୟରେ ବିଜେପି କର୍ମୀ ଓ ସମର୍ଥକଙ୍କୁ ଧମକ ଦେବା ଅଭିଯୋଗ ତାଙ୍କ ବିରୋଧରେ ଉଠିଥିଲା। ଏହାପରେ ସେ ଆତ୍ମଗୋପନ କରିଥିବା ଅଭିଯୋଗ ହୋଇଥିଲା। ମେ ୧୪ ତାରିଖରେ STF ପାଇଲାନ ଅଞ୍ଚଳରେ ତାଙ୍କ ସହ ଜଡିତ ଦୁଇଟି ସ୍ଥାନରେ ଚଢ଼ାଉ କରିଥିଲା।
ଏହି ମାମଲାରେ ମେ ୧୮ରେ ଦିଲ୍ଲୀପଙ୍କ ପୁଅ ଅର୍ଘ୍ୟ ମଣ୍ଡଳଙ୍କୁ ମଧ୍ୟ ଅନ୍ୟ ପାଞ୍ଚ ଜଣଙ୍କ ସହ ଗିରଫ କରାଯାଇଥିଲା। ସେମାନଙ୍କ ନିକଟରୁ ଦୁଇଟି ପିସ୍ତଲ ଓ ଛଅଟି ମୋବାଇଲ ଫୋନ୍ ଜବତ ହୋଇଥିଲା। ପୁଲିସର ଅଭିଯୋଗ ଅନୁସାରେ, ଅର୍ଘ୍ୟ ମଣ୍ଡଳ ସ୍ଥାନୀୟ ବିଜେପି କର୍ମୀ ଓ ସମର୍ଥକଙ୍କୁ ଭୟଭୀତ କରିବା ସହ ଧମକ ଦେଉଥିଲେ।