ଆଇପିଏଲ୍-୨୦୨୬ର ରୋମାଞ୍ଚ ମଧ୍ୟରେ ଓଡ଼ିଶାରେ ଚାଲିଥିଲା ବେଆଇନ ବେଟିଂର ବଡ଼ ନେଟୱର୍କ। ମ୍ୟାଚ୍ର ପ୍ରତ୍ୟେକ ବଲ୍ ଓ ରନ୍ ଉପରେ ଲାଗୁଥିଲା ହଜାର ହଜାର ଟଙ୍କାର ବାଜି। ହେଲେ ଏହି କଳା ସାମ୍ରାଜ୍ୟ ଉପରେ ଏବେ ବଡ଼ ପ୍ରହାର କରିଛି ଓଡ଼ିଶା ପୁଲିସ। ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଅଭିଯାନ ଚଳାଇ ବିଭିନ୍ନ ଜିଲ୍ଲାରେ ଚଢ଼ାଉ କରି ପୁଲିସ ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୭୬ ଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି ଜବତ କରିଛି।
ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁସାରେ, ବେଟିଂ ରାକେଟ୍ ବିରୋଧରେ ଏପର୍ଯ୍ୟନ୍ତ ୪ଟି ମାମଲା ରୁଜୁ ହୋଇଛି। ଚଢ଼ାଉ ସମୟରେ ୩୬ ଲକ୍ଷ ୮୫ ହଜାର ୨୦୦ ଟଙ୍କା ନଗଦ ଜବତ ହୋଇଥିବା ବେଳେ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ୩୯ ଲକ୍ଷ ୪୨ ହଜାର ୬୧୧ ଟଙ୍କା ଫ୍ରିଜ୍ କରାଯାଇଛି। ଏହାସହ ୨ଟି କାର୍ ଓ ୧୩ଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି।
ଏହି ଅଭିଯାନରେ ପୁରୀ ପୁଲିସ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ଏଠାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୨୫ ଲକ୍ଷ ୩୫ ହଜାର ଟଙ୍କା ନଗଦ ଏବଂ ୩୧ ଲକ୍ଷ ୮୧ ହଜାର ୨୪୪ ଟଙ୍କା ବ୍ୟାଙ୍କ ଖାତାରୁ ଫ୍ରିଜ୍ କରାଯାଇଛି। ସୁନ୍ଦରଗଡ଼ରେ ୫ ଜଣ ଗିରଫ ହୋଇଥିବା ବେଳେ ୬ ଲକ୍ଷ ଟଙ୍କା ନଗଦ ଓ ୧୭ ଲକ୍ଷ ୬୧ ହଜାର ୩୬୭ ଟଙ୍କା ଫ୍ରିଜ୍ କରାଯାଇଛି।
ଝାରସୁଗୁଡ଼ାରେ ସର୍ବାଧିକ ୮ ଜଣ ଅଭିଯୁକ୍ତଙ୍କୁ ଧରାଯାଇଥିବା ବେଳେ ୫ ଲକ୍ଷ ଟଙ୍କା ଓ ବେଟିଂରେ ବ୍ୟବହୃତ ୨ଟି କାର୍ ଜବତ ହୋଇଛି। ବ୍ରହ୍ମପୁରରେ ଜଣେ ଅଭିଯୁକ୍ତଙ୍କ ଠାରୁ ୫୦ ହଜାର ୨୦୦ ଟଙ୍କା ଓ ୨ଟି ମୋବାଇଲ୍ ଜବତ କରାଯାଇଛି।
ଆଇପିଏଲ୍ର ଉତ୍ସାହକୁ ଆଧାର କରି ଚାଲିଥିବା ଏହି ବେଆଇନ ବେଟିଂ କାରବାର ବିରୋଧରେ ଆଗାମୀ ଦିନରେ ମଧ୍ୟ ଏଭଳି ଅଭିଯାନ ଜାରି ରହିବ ବୋଲି ପୁଲିସ ସ୍ପଷ୍ଟ କରିଛି। ବେଟିଂ ମାଫିଆଙ୍କ ପାଇଁ ଏହା ଏକ କଡ଼ା ସନ୍ଦେଶ ବୋଲି କୁହାଯାଉଛି।