ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ସିନ୍ଧେକେଲା ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ, ସୋମବାର ସନ୍ଧ୍ୟାରେ ନାବାଳିକାଙ୍କୁ ତିନିଜଣ ଯୁବକ ଅପହରଣ କରି ନେଇଥିଲେ। ଅଭିଯୋଗ ମୁତାବକ, ତାଙ୍କୁ ରାତିସାରା ଏକ ପାହାଡ଼ ଉପରେ ରଖାଯାଇଥିଲା ଏବଂ ସେଠାରେ ତାଙ୍କ ସହ ଦୁଷ୍କର୍ମ କରାଯାଇଥିଲା। ପରେ ଅଭିଯୁକ୍ତମାନେ ନାବାଳିକାଙ୍କୁ ସେହି ପାହାଡ଼ ଉପରେ ଛାଡ଼ି ଫେରାର ହୋଇଯାଇଥିବା ଅଭିଯୋଗ ରହିଛି।
ମଙ୍ଗଳବାର ସକାଳ ପ୍ରାୟ ୧୧ଟା ବେଳେ ସ୍ଥାନୀୟ ଲୋକେ ପାହାଡ଼ ଉପରେ ନାବାଳିକାଙ୍କୁ ଦେଖି ଉଦ୍ଧାର କରିଥିଲେ। ପରେ ତାଙ୍କୁ ପରିବାର ଲୋକଙ୍କ ନିକଟକୁ ନିଆଯାଇଥିଲା। ପରିବାର ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ସିନ୍ଧେକେଲା ଥାନାରେ ଏତଲା ଦେଇଥିଲେ।
ଘଟଣାର ଖବର ପାଇ ବଲାଙ୍ଗିର ଏସ୍ପି ଅଭିଲାଷ ସ୍ୱୟଂ ସିନ୍ଧେକେଲା ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୀଡ଼ିତାଙ୍କୁ ଟିଟିଲାଗଡ଼ ଏମ୍ସିଏଚ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଛି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ୪ଟି ସ୍ୱତନ୍ତ୍ର ଟିମ୍ ଗଠନ କରିଛି। ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ବେଳେ ଅଭିଯୁକ୍ତମାନଙ୍କ ସନ୍ଧାନ ପାଇଁ ତନାଘନା ଚାଲିଛି। ଏହି ଘଟଣା ପୁଣିଥରେ ମହିଳା ଓ ନାବାଳିକାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି। ଘଟଣାର ସମ୍ପୂର୍ଣ୍ଣ ସତ୍ୟାସତ୍ୟ ତଦନ୍ତ ପରେ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି।