କଟକ ଜିଲ୍ଲାର ଆୟତପୁର-ଦାମୋଦରପୁର ନିକଟ ମହାନଦୀରେ ମଙ୍ଗଳବାର ଅପରାହ୍ନରେ ଏକ ଦୁଃଖଦ ଅଘଟଣ ଘଟିଛି। ପ୍ରବଳ ଖରାରୁ ମୁକ୍ତି ପାଇବା ପାଇଁ ସାଙ୍ଗମାନଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିବା ଜଣେ ନାବାଳକ ପାଣିର ପ୍ରବଳ ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି।ସୂଚନା ଅନୁସାରେ, ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନା ଅନ୍ତର୍ଗତ ଦରଡ଼ାପାଡ଼ି ଗ୍ରାମର ୧୨ ବର୍ଷୀୟ ନାବାଳକ ଓ ତାଙ୍କ ଚାରିଜଣ ସାଙ୍ଗ ମହାନଦୀକୁ ଗାଧୋଇବା ପାଇଁ ଆସିଥିଲେ। ଗାଧୋଇବା ସମୟରେ ରାହୁଲ ହଠାତ୍ ଗଭୀର ପାଣିକୁ ଚାଲିଯାଇ ପ୍ରବଳ ସ୍ରୋତରେ ଭାସିଯାଇଥିଲେ। ସାଙ୍ଗମାନେ ତାଙ୍କୁ ବଞ୍ଚାଇବାକୁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ।
ଘଟଣା ସମ୍ପର୍କରେ ଖବର ପାଇ ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀର ଏକ ଟିମ୍ ଓ କନ୍ଦରପୁର ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀମାନେ ନଦୀରେ ବ୍ୟାପକ ଖୋଜାଖୋଜି ଅଭିଯାନ ଚଳାଇଥିବା ବେଳେ ବର୍ତ୍ତମାନ (ଖବର ଲେଖାହେବା ସୁଦ୍ଧା) ନାବାଳକଙ୍କ କୌଣସି ସନ୍ଧାନ ମିଳିନାହିଁ। ଏହି ଘଟଣା ପରେ ପରିବାର ଓ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।