ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଶ୍ରେଷ୍ଠ ବିଧାୟକଙ୍କ ଚୟନ ପାଇଁ କମିଟି ଗଠନ କରାଯାଇଛି । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ୭ ଜଣିଆ କମିଟି ଗଠନ ହୋଇଛି । ଯେଉଁଥିରେ ଉପ ବାଚସ୍ପତି, ବର୍ତ୍ତମାନର ବିଧାୟକ, ପୂର୍ବତନ ବିଧାୟକ ଏବଂ ସାମ୍ବାଦିକ ରହିଛନ୍ତି । ଏହି କମିଟି ଓଡ଼ିଶା ବିଧାନସଭାର ଶ୍ରେଷ୍ଠ ବିଧାୟକ ଚୟନ କରିବେ ।
କମିଟିରେ ବାଚସ୍ପତି ସୁରମା ପାଢ଼ୀ ଅଧ୍ୟକ୍ଷତା କରିବେ । ଏହା ସହିତ କମିଟିରେ ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ, ବିଧାୟକ ଜୟନାରାୟଣ ମିଶ୍ର, ବିଧାୟକ ଭାସ୍କର ମଢେଇ, ପୂର୍ବତନ ବିଧାୟକ ଅରବିନ୍ଦ ଢାଲି, ପୂର୍ବତନ ବିଜେଡ଼ି ବିଧାୟକ ଅମର ପ୍ରସାଦ ଶତପଥୀ ଓ ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ ସଦସ୍ୟ ଅଛନ୍ତି । ଏହି କମିଟି ସମସ୍ତ ବିଧାୟକଙ୍କର କାର୍ଯ୍ୟଦକ୍ଷତା, ଗୃହରେ ଆଚରଣ, ଉଚ୍ଚାରଣ ଆଦିକୁ ଦେଖି ଶ୍ରେଷ୍ଠ ବିଧାୟକ ପୁରସ୍କାର ପାଇଁ ମନୋନୀତ କରିବ ।