ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଭୋପାଲର ତ୍ୱିଷା ଶର୍ମା ମୃତ୍ୟୁ ରହସ୍ୟ ଉପରୁ ଏ ଯାଏଁ ପରଦା ହଟି ପାରିନାହିଁ । ସିବିଆଇ ଏହି ମାମଲାରେ ତଦନ୍ତ ଭାର ଗ୍ରହଣ କରିଛି । ତ୍ୱିଷାଙ୍କ ଶାଶୁ ଗିରିବାଳା ସିଂହଙ୍କ ପାଇଁ ଅଡ଼ୁଆ ବଢ଼ିପାରେ । ସିବିଆଇ ଗିରିବାଳାଙ୍କ ଆଗୁଆ ଜାମିନ ରଦ୍ଦ କରିବା ସହିତ ତାଙ୍କୁ ହେପାଜତରେ ନେବାକୁ ମଧ୍ୟ ପ୍ରଦେଶ ହାଇକୋର୍ଟରେ ଆବେଦନ କରିଛି ।
ସେପଟେ ତ୍ୱିଷା ଶର୍ମାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ରାଜ୍ୟ ସରକାର ହାଇକୋର୍ଟରେ ଦାଖଲ କରିଛନ୍ତି । ଯେଉଁଥିରେ ତ୍ୱିଷାଙ୍କ ମୃତ୍ୟୁର ବଡ଼ ରହସ୍ୟ ଖୋଲିଛି । ତ୍ୱିଷାଙ୍କ ଶରୀରରେ ବିଭିନ୍ନ ସ୍ଥାନ, ଯଥା ହାତ, କୋହୁଣୀ, ମୁଣ୍ଡ ଏବଂ ବେକ ସମେତ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଯାଇଛି । ହାଇକୋର୍ଟ ପ୍ରଶ୍ନ କରିଥିଲେ ଶରୀରରେ ଥିବା ଚିହ୍ନ କେବେର ଅଟେ । ସଲିସିଟର୍ ଜେନେରାଲ ସ୍ପଷ୍ଟ କରିଛନ୍ତି ଯେ ମୃତ୍ୟୁ ପୂର୍ବରୁ ଶରୀରରେ କ୍ଷତ ଆଘାତ ଲାଗିଛି । କିନ୍ତୁ ଏହି ଆଘାତ ମୃତ୍ୟୁ ପରେ କିମ୍ବା ମୃତ ଶରୀରର ଆଣିବା ସମୟରେ ବିଲକୁଲ ନାହିଁ । ଯେଉଁ ଆଘାତ ଲାଗିଛି ତାହା କୌଣସି ସଂଘର୍ଷ ସମୟର ହୋଇଥାଇ ପାରେ ବୋଲି ସଲିସିଟର୍ ଜେନେରାଲ କହିଛନ୍ତି ।
ସରକାର ତ୍ୱିଷା ଶର୍ମାଙ୍କ ଭଉଣୀ ଦେଇଥିବା ବୟାନକୁ କୋର୍ଟରେ ଦାଖଲ କରିଛନ୍ତି । ତ୍ୱିଷାଙ୍କ ଶାଶୁ ଗିରିବାଳା ସିଂ ତାଙ୍କୁ ଘରକୁ ଡାକିଥିଲେ ଏବଂ ଦୁଇ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ । ଏପରିକି ବିବାହ ସମୟରେ ଯେଉଁ ତ୍ୱିଷାଙ୍କ ପରିବାର ଯେଉଁ ଟଙ୍କା ଖର୍ଚ୍ଚ କରିଥିଲେ ତାହା ମଧ୍ୟ ପର୍ଯ୍ୟାପ୍ତ ନ ଥିଲା । ଖାଲି ସେତିକି ନୁହେଁ ମେ ୧୨ରେ ତ୍ୱିଷାଙ୍କ ମୃତ୍ୟୁ ପରେ ଗିରିବାଳା ସିଂଙ୍କୁ ଦୁଇ ଦୁଇ ଥର ନୋଟିସ୍ ହୋଇଥିଲା । ମେ ୧୩ ଏବଂ ମେ ୧୪ରେ ନୋଟିସ୍ ଯିବା ସତ୍ତ୍ୱେ ସେ ତଦନ୍ତରେ କୌଣସି ସହଯୋଗ କରିନଥିଲେ । ପୋଲିସ ଯେତେବେଳେ ତାଙ୍କ ଘରକୁ ଯାଇଥିଲା ସେତେବେଳେ ସେ ଘରେ ଉପସ୍ଥିତ ମଧ୍ୟ ନ ଥିଲେ ।
ତ୍ୱିଷା ଶର୍ମା ମୃତ୍ୟୁ ମାମଲାରେ ସ୍ୱାମୀ ସମର୍ଥ ସିଂ ଏବଂ ଶାଶୁ ଗିରିବାଳା ସିଂଙ୍କ ବିରୁଦ୍ଧରେ ଏତଲା ଦିଆଯାଇଛି । ପୋଲିସ ଯୌତୁକ ନିର୍ଯ୍ୟାତନା ମାମଲା ରୁଜୁ କରିଛି । ଏହି ମାମଲାରେ ସ୍ୱାମୀ ଗିରଫ ହୋଇଥିବାବେଳେ ଶାଶୁ ଆଗୁଆ ଜାମିନ ପାଇଛନ୍ତି ।