କୋଲକାତା: ତୃଣମୂଳ କଂଗ୍ରେସ (ଟିଏମସି)ର ବରିଷ୍ଠ ନେତ୍ରୀ ଓ ଲୋକସଭା ସାଂସଦ କାକୋଲି ଘୋଷ ଦସ୍ତିଦାର ବୁଧବାର ଦଳର ସମସ୍ତ ସାଂଗଠନିକ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ସେ ସାଂସଦ ପଦରେ ରହିବା ସହ ଦଳ ଛାଡ଼ୁ ନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ଏହି ନିଷ୍ପତ୍ତି ଟିଏମସି ଭିତରେ ଚର୍ଚ୍ଚାକୁ ଆହୁରି ତୀବ୍ର କରିଛି।
କାକୋଲି ଘୋଷ ଦଳର ମହିଳା ସଂଗଠନ ‘ଅଲ୍ ଇଣ୍ଡିଆ ତୃଣମୂଳ ମହିଳା କଂଗ୍ରେସ’ର ଅଧ୍ୟକ୍ଷା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦରେ ରହିଥିଲେ। ନିକଟରେ ସେ ଦଳର କିଛି କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ ଏବଂ ଦଳର ଆଭ୍ୟନ୍ତରୀଣ କାର୍ଯ୍ୟପ୍ରଣାଳୀକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।
ନିଜ ଇସ୍ତଫା ପତ୍ରରେ ସେ ଲେଖିଛନ୍ତି ଯେ, “ଦୀର୍ଘ ଚିନ୍ତା ଓ ମାନସିକ ଦ୍ୱନ୍ଦ୍ୱ ପରେ ମୁଁ ଏହି ନିଷ୍ପତ୍ତି ନେଇଛି।” ଦଳ ତାଙ୍କୁ ଦେଇଥିବା ସମ୍ମାନ ଓ ସୁଯୋଗ ପାଇଁ ସେ କୃତଜ୍ଞତା ଜଣାଇଥିଲେ, କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଦାୟିତ୍ୱରେ ରହିବା ସମ୍ଭବ ନୁହେଁ ବୋଲି କହିଛନ୍ତି।
ଦସ୍ତିଦାର ଦଳ ଭିତରେ ଜଣେ ମହିଳା ସାଂସଦଙ୍କ ପ୍ରତି ଅଶୋଭନ ବ୍ୟବହାର ହେବା ସତ୍ତ୍ୱେ ନେତୃତ୍ୱ ପକ୍ଷରୁ ଯଥୋଚିତ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରିଛନ୍ତି। ଏହାସହ ପଶ୍ଚିମବଙ୍ଗରେ ଗତ କିଛି ବର୍ଷ ଧରି ଚର୍ଚ୍ଚିତ ରାସନ ଦୁର୍ନୀତି, ଶିକ୍ଷକ ନିଯୁକ୍ତି ଦୁର୍ନୀତି ଭଳି ଘଟଣା ସାଧାରଣ ଲୋକଙ୍କ ମନରେ ଅସନ୍ତୋଷ ଓ ଅବିଶ୍ୱାସ ସୃଷ୍ଟି କରିଛି ବୋଲି ସେ ଉଲ୍ଲେଖ କରିଛନ୍ତି।
ଆର୍ଜି କର ମେଡିକାଲ କଲେଜର ଡାକ୍ତରଙ୍କ ମୃତ୍ୟୁ ଘଟଣା ଓ ଏହାକୁ ନେଇ ଉଠିଥିବା ପ୍ରଶ୍ନ ମଧ୍ୟ ତାଙ୍କୁ ବ୍ୟଥିତ କରିଥିବା ସେ କହିଛନ୍ତି। ଏହାଛଡ଼ା ଆଇପିଏସି (IPAC)ର ବଢ଼ୁଥିବା ପ୍ରଭାବ ଓ ଦଳ ଭିତରେ ଗଣତାନ୍ତ୍ରିକ ପରମ୍ପରା ଦୁର୍ବଳ ହେଉଥିବା ନେଇ ମଧ୍ୟ ସେ ଚିନ୍ତା ପ୍ରକାଶ କରିଛନ୍ତି।
ତେବେ ଏହି ନିଷ୍ପତ୍ତି କୌଣସି ବ୍ୟକ୍ତିଗତ ରାଗ କିମ୍ବା ଅହଂକାରରୁ ନୁହେଁ, ବରଂ ନୈତିକ ଦାୟିତ୍ୱବୋଧରୁ ନେଇଥିବା ସେ ସ୍ପଷ୍ଟ କରିଛନ୍ତି। ଦଳର ସାଧାରଣ କର୍ମୀ ଭାବେ ସେ ଆଗାମୀ ଦିନରେ ଲୋକଙ୍କ ସେବା ଜାରି ରଖିବେ ବୋଲି କହିଛନ୍ତି।