ଭାରତୀୟ ପାଣିପାଗ ବିଭାଗ (IMD) ଚଳିତ ବର୍ଷ ଓଡ଼ିଶାରେ ସ୍ୱାଭାବିକଠାରୁ କମ୍ ବର୍ଷା ଏବଂ ଏଲନିନୋ ପ୍ରଭାବର ଆଶଙ୍କା ପ୍ରକାଶ କରିବା ପରେ ରାଜ୍ୟ ସରକାର ଆଗୁଆ ସତର୍କତା ଅବଲମ୍ବନ କରିଛନ୍ତି। ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ଭର୍ଚୁଆଲ୍ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଆସନ୍ତା ଖରିଫ୍-୨୦୨୬ ଋତୁ ପାଇଁ ବ୍ୟାପକ ପ୍ରସ୍ତୁତି ରଣନୀତି ଚୂଡ଼ାନ୍ତ କରାଯାଇଛି।
ଚାଷୀଙ୍କ ସ୍ୱାର୍ଥ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ସରକାର ଚାରିଟି ପ୍ରମୁଖ କ୍ଷେତ୍ର ବିହନ ପରିଚାଳନା, ସାର ଯୋଗାଣ, ଫସଲ ବୀମା ଏବଂ ବୈଷୟିକ ସହାୟତା ଉପରେ ଫୋକସ୍ କରିଛନ୍ତି। ଜୁନ୍ ପ୍ରଥମ ସପ୍ତାହ ସୁଦ୍ଧା ପ୍ରମାଣିତ ବିହନ ଯୋଗାଣ ସୁନିଶ୍ଚିତ କରିବାକୁ ଓଡ଼ିଶା ରାଜ୍ୟ ବିହନ ନିଗମକୁ ନିର୍ଦ୍ଦେଶ ଦିଆଯାଇଛି। କମ୍ ବର୍ଷା ପ୍ରଭାବିତ ଅଞ୍ଚଳରେ ସ୍ୱଳ୍ପ ଓ ମଧ୍ୟମ ଅବଧିର ଧାନ, ଡାଲି, ତୈଳବୀଜ ଓ ମିଲେଟ୍ ବିହନ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ।
ବର୍ଷା ନିର୍ଭରଶୀଳ ଓ ଉଚ୍ଚ ଜମି ଅଞ୍ଚଳରେ ଫସଲ ବିବିଧକରଣକୁ ପ୍ରୋତ୍ସାହନ ଦେବା ସହିତ ମୌସୁମୀ ବିଳମ୍ବ ହେଲେ ‘କମ୍ୟୁନିଟି ନର୍ସରୀ’ ବ୍ୟବସ୍ଥା ଆରମ୍ଭ କରାଯିବ। ସେହିପରି ଜରୁରୀ ପରିସ୍ଥିତି ପାଇଁ ବିହନର ସ୍ୱତନ୍ତ୍ର ମହଜୁଦ ରଖାଯିବ।
ସାର ଯୋଗାଣକୁ ନେଇ ମଧ୍ୟ ସରକାର କଠୋର ଆଭିମୁଖ୍ୟ ନେଇଛନ୍ତି। ମାର୍କଫେଡ୍, ପ୍ୟାକ୍ସ ଓ ଲ୍ୟାମ୍ପସ ମାଧ୍ୟମରେ ଚାଷୀଙ୍କ ପାଖକୁ ନିରବଚ୍ଛିନ୍ନ ସାର ପହଞ୍ଚାଇବା ସହ କଳାବଜାରୀ ଓ ବେଆଇନ ମହଜୁଦ ବିରୋଧରେ ‘ଜିରୋ ଟଲେରାନ୍ସ’ ନୀତି ଆପଣାଯିବ। ଜିଲ୍ଲାପାଳମାନେ ସ୍ୱୟଂ ସାର ବଣ୍ଟନ ବ୍ୟବସ୍ଥା ଉପରେ ନଜର ରଖିବେ।
ଅନ୍ୟପଟେ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅଧିକରୁ ଅଧିକ ଚାଷୀଙ୍କୁ ସାମିଲ କରିବାକୁ ଜୋର ଦିଆଯାଇଛି। ରାଜ୍ୟ ସରକାର ଚାଷୀଙ୍କ ପ୍ରିମିୟମ୍ ଅଂଶ ବହନ କରୁଥିବାରୁ ଚାଷୀମାନେ ମାତ୍ର ୧ ଟଙ୍କା ଦେଇ ବୀମା ସୁବିଧା ପାଇପାରିବେ।
ଖରିଫ୍ ଋତୁରେ ଯେକୌଣସି ଅନାବୃଷ୍ଟି କିମ୍ବା ମରୁଡ଼ି ସ୍ଥିତିର ମୁକାବିଲା ପାଇଁ OUAT, KVK ଏବଂ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଚାଷୀଙ୍କୁ ପାଣିପାଗ ଆଧାରିତ ପରାମର୍ଶ ଓ ବୈଷୟିକ ସହଯୋଗ ଯୋଗାଇବେ। ସଚେତନତା ବଢ଼ାଇବାକୁ LED ସ୍କ୍ରିନ ଓ କ୍ଷେତ୍ରସ୍ତରୀୟ ଅଭିଯାନକୁ ମଧ୍ୟ ତ୍ୱରାନ୍ୱିତ କରାଯିବ।
ଏଲନିନୋର ଆହ୍ୱାନ ମଧ୍ୟରେ ଚାଷୀଙ୍କୁ ସୁରକ୍ଷା ଦେବା ଓ କୃଷି ଉତ୍ପାଦନକୁ ଅକ୍ଷୁଣ୍ଣ ରଖିବା ପାଇଁ ଓଡ଼ିଶା ସରକାରଙ୍କ ଏହି ଆଗୁଆ ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖାଯାଉଛି।