ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହରେ ସହରବାସୀ ଅସ୍ତବ୍ୟସ୍ତ ହେଉଥିବା ବେଳେ ଯାତ୍ରୀଙ୍କୁ ଆଶ୍ଵସ୍ତି ଦେବା ପାଇଁ ଏକ ଅଭିନବ ପଦକ୍ଷେପ ନେଇଛି ଭୁବନେଶ୍ୱର ମହାନଗର ନିଗମ (BMC)। ସହରକୁ ସ୍ଥାୟୀ ଓ ‘ନେଟ୍-ଜିରୋ’ ଦିଗରେ ଆଗେଇ ନେବା ସହ ଖରାର ପ୍ରଭାବ କମାଇବା ଲକ୍ଷ୍ୟରେ ରାଜଧାନୀରେ ଆରମ୍ଭ ହୋଇଛି ‘କୁଲ୍ ବସ୍ ଷ୍ଟପ୍’ ବ୍ୟବସ୍ଥା।
ଭୁବନେଶ୍ୱର ହିଟ୍ ପ୍ରିଭେନସନ୍ ଆକ୍ସନ୍ ପ୍ଲାନ୍ ଅଧୀନରେ ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥାରେ ବସ୍ ଷ୍ଟପ୍ଗୁଡ଼ିକରେ ପରିବେଶ ଅନୁକୂଳ ଏବଂ ପୁନଃବ୍ୟବହାରଯୋଗ୍ୟ ଭେଟିଭର ସ୍କ୍ରିନ୍ ଲଗାଯାଇଛି। ଏହା ସହିତ ରହିଛି ୱାଟର ସ୍ପ୍ରିଙ୍କଲିଂ ସିଷ୍ଟମ୍, ଯାହା ବସ୍ ଅପେକ୍ଷାରତ ଯାତ୍ରୀଙ୍କୁ ଥଣ୍ଡା ଅନୁଭବ ପ୍ରଦାନ କରିବ।
ସତ୍ୟନଗର ସ୍ଥିତ CRUT BQS ବସ୍ ଷ୍ଟପ୍ରେ ଏହି ନୂତନ ସୁବିଧାର ଉଦ୍ଘାଟନ କରାଯାଇଛି। ଏହି ଅବସରରେ ଭୁବନେଶ୍ବର ମଧ୍ୟ ବିଧାୟକ, ମେୟର, ଡେପୁଟି ମେୟର, BMCର ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ କର୍ପୋରେଟର ଉପସ୍ଥିତ ଥିଲେ।
ବର୍ତ୍ତମାନ ସହରର ୧୦ଟି ସ୍ଥାନରେ ଏହି ‘କୁଲ୍ ବସ୍ ଷ୍ଟପ୍’ ସୁବିଧା କାର୍ଯ୍ୟକ୍ଷମ ହୋଇଥିବା ବେଳେ ଖୁବ୍ଶୀଘ୍ର ଆଉ ୨୦ଟି ସ୍ଥାନରେ ଏହା ଆରମ୍ଭ ହେବ ବୋଲି BMC ସୂଚନା ଦେଇଛି। ପରିବେଶ ସୁରକ୍ଷା ସହ ଜନସାଧାରଣଙ୍କ ସୁବିଧାକୁ ପ୍ରାଥମିକତା ଦେଇ ଭୁବନେଶ୍ୱର ସ୍ମାର୍ଟ ସିଟି ଆଉ ଏକ ନୂଆ ପଦକ୍ଷେପ ନେଇଥିବା ବେଳେ ଏହା ଆଗାମୀ ଦିନରେ ଅନ୍ୟ ସହର ପାଇଁ ମଧ୍ୟ ଏକ ଆଦର୍ଶ ମଡେଲ୍ ହୋଇପାରେ।