ଭୁବନେଶ୍ୱର: ରାଜଧାନୀରେ ଅପରାଧୀଙ୍କୁ ଆଉ ନିସ୍ତାର ନାହିଁ । ନିରୀହଙ୍କୁ ଟାର୍ଗେଟ୍ କଲେ ଛଡ଼ାଯିବ ନାହିଁ । ଅପରାଧୀଙ୍କ ଗୁଳିର ଜବାବ ଗୁଳିରେ ଦେବ ପୋଲିସ । ଆଜି ସାମ୍ବାଦିକ ସମ୍ମିଳନୀରେ ଅପରାଧୀମାନଙ୍କୁ ଏଭଳି ଚେତାବନୀ ଦେଇଛନ୍ତି କଟକ-ଭୁବନେଶ୍ୱର ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ ।
ପୋଲିସ କମିଶନର କହିଛନ୍ତି ଯେ ଯେଉଁ ଅପରାଧୀମାନେ ନିରୀହ ଲୋକଙ୍କୁ କ୍ଷତି ପହଁଚାଇବାକୁ ଚେଷ୍ଟା କରିବ, କିମ୍ବା ପ୍ରାଣ ଉପରେ ଆଞ୍ଚ ଆସିବ ପୋଲିସ ଉଚିତ ଜବାବ ଦେବ । କେବଳ ପୋଲିସକୁ ଆଞ୍ଚ ଆସିଲେ ନୁହେଁ ସାଧାରଣ ଲୋକଙ୍କ ଉପରକୁ ଆଞ୍ଚ ଆସିଲେ ମଧ୍ୟ ପୋଲିସ ଗୁଳିରେ ଜବାବ ଦେବ । ସଂଗଠିତ ଅପରାଧ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ଗ୍ରହଣ କରାଯିବ । ସଂଗଠିତ ଅପରାଧ ବିରୁଦ୍ଧରେ ଏକ ଅଭିଯାନଭାବେ କାର୍ଯ୍ୟ କରାଯାଉଛି ।
ବିଗତ ତିନି ବର୍ଷରେ ଭୁବନେଶ୍ୱରରେ ଅପରାଧ ସଂଖ୍ୟା ହ୍ରାସ ପାଇଛି । ଆକ୍ରମଣ, ହତ୍ୟା, ଡକାୟତି, ଚୋରାଚାଲାଣ ହ୍ରାସ ପାଇଛି । କିନ୍ତୁ ବାଲି ମାଫିଆ, ଅସ୍ତ୍ର ଧରି ବୁଲିବା ଭଳି ଦୃଶ୍ୟ ସାମ୍ନାକୁ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।